ହରିୟାଣାର ଜୀନ୍ଦ୍ ହସ୍ପିଟାଲରୁ ୧୭୧୦ ଡୋଜ କୋଭିଡ୍ ଭ୍ୟାକ୍ସିନ ଚୋରି । ୨ ଫାଇଲ ଗାଏବ

108

କନକ ବ୍ୟୁରୋ : ହରିୟାଣାର ଜୀନ୍ଦ ହସ୍ପିଟାଲରୁ ୧୨୭୦ କୋଭିସିଲ୍ଡ ଓ ୪୪୦ କୋଭାକ୍ସିନ ଟିକା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆଜି (ଗୁରୁବାର) ସକାଳେ ହସ୍ପିଟାଲର ସ୍ୱାସ୍ଥ୍ୟ ନିରୀକ୍ଷକ ରାମମେହର ବର୍ମା ମେଡିକାଲରେ ପହଂଚିବା ପରେ ମେଡିକାଲ କର୍ମଚାରୀ ଏନେଇ ତାଙ୍କୁ ସୂଚିତ କରିଥିଲେ । ଏହାପରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଗୁରୁବାର ସକାଳେ ମେଡିକାଲ କର୍ମଚାରୀ ମେଡିକାଲରେ ପହଂଚିବା ପରେ ଦେଖିବାକୁ ମିଳିଥିଲା କି ପିପି ସେଣ୍ଟରର ତାଲା ଭଙ୍ଗାଯାଇଛି । ଏହାପରେ ଷ୍ଟୋରର ତାଲା ବି ଭଙ୍ଗା ଯାଇଥିବା ଦେଖିବା ପରେ ଡିପ୍ ଫ୍ରିଜରୁ ଭ୍ୟାକ୍ସିନ ଚୋରି ହୋଇଥିବା ଜଣାପଡିଥିଲା ।  ଅନ୍ୟପଟେ ଆଲମିରାରେ ଥିବା ୨ ଟି ଫାଇଲ ଚୋରି ହୋଇଛି ବୋଲି କୁହାଯାଇଛି । ଅନ୍ୟପଟେ ଫାଇଲ ନିକଟରେ ଥିବା ୫୦ ହଜାର ଟଙ୍କାକୁ ଚୋର ନନେଇ କିଭଳି ଛାଡିଦେଇଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମେଡିକାଲ ର ସିସିଟିଭି ଫୁଟେଜ ମୁତାବକ ଚୋରମାନେ ହସ୍ପିଟାଲର ନୂଆଭବନ ଗେଟ୍ ଡେଇଁ ଭିତରକୁ ଆସିଛନ୍ତି ।  କିନ୍ତୁ ଏହାପରେ ପିପି ସେଣ୍ଟର ପର୍ଯ୍ୟନ୍ତ ଯିବାର କୌଣସି ଫୁଟେଜ ମିଳିପାରି ନାହିଁ । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛି ।