ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୪୦୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧,୧୧,୫୬,୯୨୩ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧,୫୭,୪୩୫ ରହିଛି। ସେହିପରି ସକ୍ରିୟ ମାମଲା ୧,୭୩,୪୧୩କୁ ବୃଦ୍ଧି ପାଇଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧.୫୫ ପ୍ରତିଶତ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧,୦୮,୨୬,୦୭୫ ରେ ପହଞ୍ଚିଛି। ଜାତୀୟ ଆରୋଗ୍ୟ ହାର ୯୭.୦୩ ପ୍ରତିଶତ ରହିଛି। ଅନ୍ୟପକ୍ଷେ ମୃତ୍ୟୁହାର ୧.୪୧ ପ୍ରତିଶତ ରହିଛି। ନିର୍ବାଚନ କମିସନ୍ ଆଜି ଅଧିକାରୀ ଏବଂ କର୍ମଚାରୀମାନଙ୍କର ଟିକାକରଣ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ଦେଶରେ ଏବେ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ ପ୍ରଜାତିର କୋଭିଡ୍ ମାମଲା ୨୪୨ରେ ପହଞ୍ଚିଛି। ମହାରାଷ୍ଟ୍ର, କେରଳରେ ସଂକ୍ରମଣ ବୃଦ୍ଧି ହେବା ସହ ଏହି ସଂଖ୍ୟା ବଢ଼ିଛି। ମହାରାଷ୍ଟ୍ର,କେରଳ, ପଂଜାବ, ତାମିଲନାଡ଼ୁ, ଗୁଜରାଟ ଏବଂ କର୍ଣ୍ଣାଟକରେ ଲଗାତାର ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ୬ଟି ରାଜ୍ୟରୁ ୮୫. ୫୧ ପ୍ରତିଶତ ନୂଆ ମାମଲା ରହିଛି। ମହାରାଷ୍ଟ୍ରରେ ବୁଧବାର ୯,୮୫୫ ନୂଆ ମାମଲା ଚିହ୍ନଟ ହୋଇଛି । ଅକ୍ଟୋବର ୧୮ ପରେ ଏହା ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ। ଅକ୍ଟୋବର ୧୮ରେ ମହାରାଷ୍ଟ୍ରରେ ୧୦,୨୫୯ ମାମଲା ଥିଲା।
ୟୁରୋପରେ ପୁଣି ବଢ଼ିଲା ସଂକ୍ରମଣ
ନୂଆଦିଲ୍ଲୀ : ୬ ସପ୍ତାହ ଧରି ସଂକ୍ରମଣ କମ୍ ରହିବାପରେ ଏବେ ୟୁରୋପରେ ପୁଣି ସଂକ୍ରମଣ ବଢ଼ିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଏନେଇ ସତର୍କ କରାଇ ଦେଇଛି। ଗତ ସପ୍ତାହରେ ୟୁରୋପରେ ସଂକ୍ରମଣ ୯ ପ୍ରତିଶତ ବୃଦ୍ଧି ହୋଇଛି। ‘ହୁ’ର ୟୁରୋପ୍ ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ୍ କ୍ଲୁଗେ ଏନେଇ ତଥ୍ୟ ରଖିବା ସହ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। କେନ୍ଦ୍ର ଏବଂ ପୂର୍ବ ୟୁରୋପ୍ରେ ଏବେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ସେହିପରି ପୂର୍ବରୁ ସଂକ୍ରମଣ ଅଧିକ ରହିଥିବା ବିଭିନ୍ନ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମ ବଢ଼ାଇବାକୁ ପଡ଼ିବ ଏବଂ ପୂର୍ବାପେକ୍ଷା ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କ୍ଲୁଗେ କହିଛନ୍ତି। ‘ହୁ’ର ୟୁରୋପ ଅଞ୍ଚଳରେ ୫୩ ଟି ଦେଶ ରହିଛି। ଏଥିମଧ୍ୟରୁ ୪୫ଟିରେ ଟିକାକରଣ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ ୟୁରୋପୀୟ ରାଷ୍ଟ୍ରସଂଘର ୨.୬ ପ୍ରତିଶତ ଲୋକ ୨ ଡୋଜ୍ ଟିକା ନେଇସାରିଥିବାବେଳେ ୫.୪ ପ୍ରତିଶତ ଗୋଟିଏ ଡୋଜ୍ ଟିକା ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/1587114297-11.jpg)