ରୋଗୀଙ୍କ ଜୀବନ ସହ ଖେଳ : ସିଲଭର ସିଟିରୁ ଜବତ ହେଲା ନକଲି ଫାଭିପିରାଭିର ଔଷଧ

311

କନକ ବ୍ୟୁରୋ : କଟକର ନକଲି କାରବାରରେ ଶେଷରେ ଯୋଡ଼ି ହେଇ ଯାଇଛି ଔଷଧ । କରୋନା କାଳରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖେଳିଛନ୍ତି ଅସାଧୁ ବେପାରୀ। କଟକର ତୁଳସୀପୁର କନିକାଛକସ୍ଥିତ ଏକ ହୋଲସେଲ ଗୋଦାମ ଉପରେ ଚଢ଼ଉ କରି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୁଲିସ ଫାବିଫିରାଭର ସମେତ ୭ପ୍ରକାର ନକଲି ଔଷଧ ଜବତ କରିଛନ୍ତି । ଏହାର ମୂଲ୍ୟ ୭୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । କଟକରୁ ଏଭଳି ନକଲି ଔଷଧ କାରବାରର ଚେର ରାଜ୍ୟର ୧୧ଟି ଜିଲ୍ଲା ସମେତ କୋଲକାତା, ଗ୍ବାଲିୟର ଆଦି ଅଞ୍ଚଳକୁ ମାଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ହିମାଚଳପ୍ରଦେଶର ‌ସୋଲାନଠାରେ ଥିବା ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର ସଂସ୍ଥାର ଲେବୁଲରେ ଏହି ସବୁ ଔଷଧ ପ୍ରସ୍ତୁତ ହୋଇଥିବାବେଳେ ବାସ୍ତବରେ ସେହି ସଂସ୍ଥା ଏହି ଔଷଧ ଏବେ ତିଆରି କରୁନାହିଁ । ଗୋଦାମରେ ଚଢ଼ଉ କରାଯାଇ ୩୦ଟି ପେଟିରେ ଥିବା ୨୨ ହଜାର ୬୮୦ ଷ୍ଟ୍ରିପ୍‌ ଥଣ୍ଡା, କାଶ ଓ କରୋନା ଜନିତ ଔଷଧ ଜବତ କରାଯାଇଛି । ଗ୍ବାଲିୟର ଯାଇଥିବା ନକଲି ଫାବିଫିରାଭର ଔଷଧ ସଂପର୍କରେ ମଧ୍ୟପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଛି ଏବଂ ଘଟଣା ସଂପର୍କରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି କଟକ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଇନ୍ସପେକ୍ଟର -୧ ଜଗନ୍ନାଥ ମଲ୍ଲିକ୍‌ ।

ସୂଚନା ଅନୁଯାୟୀ କନିକାଛକସ୍ଥିତ ଏହି ହୋଲସେଲ ଦୋକାନ ବହୁ ପୁରୁଣା ହୋଇଥିବାବେଳେ ଏହି ଗୋଦାମରୁ ନକଲି କରୋନା ଔଷଧ ସମେତ ୧୦ ପ୍ରକାର ବ୍ରାଣ୍ଡ୍‌ର ନକଲି ଔଷଧ ବି ବଜାରକୁ ଛଡା ଯାଉଥିବା ଅଭିଯୋଗ ଆସିଥିଲା । ଫଳରେ କଟକ ଡ୍ରଗ୍ଧ ଇନ୍ସପେକ୍ଟର-୧ ଜଗନ୍ନାଥ ମଲ୍ଲିକ, ଡ୍ରଗ୍ଧ ଇନ୍ସପେକ୍ଟର-୧ ସୁଶାନ୍ତ ସାହୁ ଓ ଗ୍ରାମାଞ୍ଚଳ ଡ୍ରଗ୍ଧ ଇନ୍ସପେକ୍ଟର ସୁଜାତା ଆଚାର୍ଯ୍ୟ ପ୍ରମୁଖ ଏହି ହୋଲସେଲ ଗୋଦାମ ଓ କାଉଣ୍ଟର ଉପରେ ଚଢଉ କରିଥିଲେ । ଚଢ଼ଉ ସମୟରେ ଫାବିଫିରାଭର ବା ଫେବିମେକ୍ସ-୪୦୦ ୧୭ଶହ ଷ୍ଟ୍ରିପ୍‌ସ୍‌, ‌ମେଡିଅକ୍ସି-୩୦୦ ୨୩୪୬ ଷ୍ଟ୍ରିପ୍‌ , କାଶ ପାଇଁ ମେଡ୍‌ ଟିବିଆର ୨୦୫୪ ଷ୍ଟ୍ରିପ୍‌, ମେଡଗୋଜ୍‌ -୨୦୦ ୨୫୪୩ ଷ୍ଟ୍ରିପ୍‌, ସିନିଜ୍‌ ୬୩୯୨ ଷ୍ଟ୍ରିପ୍‌, ଟିବିଆର -୯୬ -୪୩୭୦ ଷ୍ଟ୍ରିପ୍‌, ଟ୍ରିଟ୍-୨୦୦ ଏସ୍‌ବି ୩୨୭୫ ଷ୍ଟ୍ରିପ୍‌ ଭଳି ୭ପ୍ରକାର ଔଷଧ ଜବତ୍‌ କରାଯାଇଛି ।

ଏହି ଔଷଧ ସବୁ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ରାଉରକେଲା, କେନ୍ଦୁଝର, ବଲାଙ୍ଗୀର, ବରଗଡ, ମାଲକାନଗିରି, ବାରିପଦା, ଜୟପୁର ଜିଲ୍ଲାର ବିଭିନ୍ନ ଔଷଧ ଦୋକାନକୁ ଯାଇଥିବା ତଦନ୍ତରୁ ଜଣାପଡିଛି। ଯେଉଁସବୁ ଜିଲ୍ଲାକୁ ଏହି ନକଲି ଔଷଧ ଯାଇଛି ସେହି ସବୁ ଜିଲ୍ଲାଗୁଡିକୁ ବି ଏ ସଂପର୍କରେ ଅବଗତ କରାଯାଇଛି। ଏପ୍ରିଲ ମାସରୁ ଏଭଳି ନକଲି ଔଷଧ ବେପାର ଆରମ୍ଭ ହୋଇଥିବାବେଳେ ପରିମାଣ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏଭଳି ନକଲି ଔଷଧ କାରବାର ଏବେ କଟକର ଅନ୍ୟ କେତେକ ସ୍ଥାନରେ ଚାଲିଛି ବୋଲି ବ୍ୟବସାୟ ସହ ଜଡିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି। ରୋଗୀଙ୍କ ଜୀବନ ସହିତ ଖେଳୁଥିବା ଏଭଳି ବ୍ୟବସାୟୀଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ, ବିଭାଗ ରାକେଟର ପର୍ଦ୍ଦାଫାସରେ କେତେ ସଫଳ ହେବ, ତଦନ୍ତ କେତେ ବାଟ ଆଗେଇବ, ଏହା ପଛରେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।