ନକଲି ଔଷଧ କାରବାର ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ : ମିଳିତ ଭାବେ ତଦନ୍ତ କରିବେ ଔଷଧ ନିଗମ ଓ ପୋଲିସ

119

କନକ ବ୍ୟୁରୋ : ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟବିଭାଗ । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେନେଇ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ମେଡିସିନରୁ ବଂଚିତ ହେଉନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି ।

ଗତକାଲି ସିଲଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର ଔଷଧ । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଥିଲା । ମେଡିସିନ ହୋଲସେଲର ଦୋକାନରୁ ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା । କନିକା ଛକ ମେଡିକାଲ ଷ୍ଟୋରରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଫାଭିପିରାଭିର ଔଷଧର ନକଲି ଟାବଲେଟ ବିକ୍ରି ହେଉଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଚଢାଉ କରିଥିଲା ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ । ସେହି ମେଡିସିନ ଷ୍ଟୋରରୁ ୧୭୦ ପେଟି ଭର୍ତି ଫାଭିପିରାଭିର ମେଡିସିନ ଜବତ ହୋଇଛି । ସେଥିରେ ୧୭ହଜାର ଟାବଲେଟ ଥିବା ଜଣାପଡିଛି । ଜବତ ଔଷଧକୁ ଟେଷ୍ଟିଂ ପାଇଁ ପଠାଯାଇଥିଲା ।