ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ଅବସାଦ ପ୍ରଶଂସକ କଲେ ଆତ୍ମହତ୍ୟା : ଫାଶୀ ଲଗାଇ ଆତ୍ମହତ୍ୟା କଲେ ୧୭ ବର୍ଷୀୟା ପ୍ରଶଂସକ । ସଂପର୍କୀୟ ଭାଉଜଙ୍କ ମଧ୍ୟ ଯାଇଥିଲା ଜୀବନ

7,225

୩୪ ବର୍ଷୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଶୋକରେ ବୁଡିଛି ବଲିଉଡ୍ । ଏବେ ପର୍ଯ୍ୟନ୍ତ ପ୍ରଶଂସକ ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି । ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି । ଆଉ ଏଭଳି ସମୟରେ ବିହାରର ପାଟଣାରୁ ଏକ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଛି । ନିଜ ପ୍ରିୟ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ୧୭ ବର୍ଷିୟା ସୁଶାନ୍ତଙ୍କ ଏହି ପ୍ରଶଂସକଙ୍କ ନାଁ ଇଶିକା କୁମାରୀ ବୋଲି ଜଣାପଡିଛି । ଇଶିକା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଆଉ କିଛି ଦିନ ପରେ ତାଙ୍କର ଫଳାଫଳ ବାହାରିଥାନ୍ତା ।

ଟିଭି ଏବଂ ମୋବାଇଲରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର କ୍ରମାଗତ ଦେଖିବା ପରେ ସେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୋମବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ଅନ୍ୟପକ୍ଷରେ ସୁଶାନ୍ତଙ୍କ ଆତ୍ମହତ୍ୟାର ଖବର ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦିଦେଇଥିଲା । ଆଶ୍ଚର୍ଯ୍ୟ କଲା ଭଳି ଏହି ଖବର ତାଙ୍କ ସଂପର୍କୀୟ ଭାଉଜଙ୍କୁ ଭିତରୁ ଭାଙ୍ଗିଦେଇଥିଲା । ଦିଅରଙ୍କ ମୃତ୍ୟୁ ଖବର ଶୁଣି ସେ ଖାଇବାପିଇବା ଛାଡିଦେଇଥିଲେ ଏବଂ ତାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା ।

ବଲିଉଡରେ ପ୍ରତିଭା ବନାମ୍ ପରିବାରବାଦ କାରଣରୁ ସୁଶାନ୍ତ ଆତ୍ମହତ୍ୟା କରିଥିବା କଥା ଏବେ ଚର୍ଚ୍ଚା ଧରିଛି । ସୋସିଆଲ୍ ମିଡିଆରେ ‘ନେପୋଟିଜମ୍’ କୁ ନେଇ କିଛି ବଲିଉଡ୍ ତାରକାଙ୍କ ଉପରେ ମଧ୍ୟ ଲୋକ ଖୁବ୍ ବର୍ଷୁଛନ୍ତି । ଜଣେ ଯୁବା ପ୍ରତିଭାବାନ୍ ସଫଳ କଳାକାରଙ୍କ ଏଭଳି ଚରମ ନିଷ୍ପତ୍ତି ନେବା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।