ସାଙ୍ଗମାନଙ୍କ ସହ ମିଶି ମାସେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବ‌ା ସହ ଜିଅନ୍ତା ଜାଳିଲା ପ୍ରେମିକ ! ଡାକ୍ତରଖାନାରେ ଆଖି ବୁଜିଲେ ପୀଡ଼ିତା ।

1,123

କନକ ବ୍ୟୁରୋ : ଦେଶରେ ମହିଳାମାନଙ୍କ ସହ ହେଉଥିବା ଦୁଷ୍କର୍ମ ଭଳି ଅପରାଧ ଥମିବାର ନାଁ ନେଉ ନାହିଁ । ପ୍ରଥମେ ହାଇଦ୍ରାବାଦର ମହିଳା ଡାକ୍ତର ଓ ପରେ ଉନ୍ନାଓ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ତ୍ରିପୁରାରେ ସାଙ୍ଗମାନଙ୍କ ସହ ମିଶି ମାସେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବ‌ା ସହ ନିଜ ପ୍ରେମିକାକୁ ଜିଅନ୍ତା ଜାଳିଛି ପ୍ରେମିକ । ଏଭଳି ଘଟଣା ପରେ ପୀଡ଼ିତା‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ‌ ହୋଇଥିବା ଜଣା ପଡ଼ିଛି । ଏ ନେଇ ପୁଲିସରେ ଖବର ଦିଆଯିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବକ, ଘଟଣାଟି ଘଟିଛି ଦକ୍ଷିଣ ତ୍ରିପୁରାର ଶାନ୍ତିରବାଜାରରେ । ଅଭିଯୁକ୍ତକୁ ସୋସିଆଲ ମିଡିଆରେ ପୀଡ଼ିତା ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ପ୍ରେମ ଜାଲରେ ଫସାଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନିଜ ଘରକୁ ଡ଼କାଇ ତାଙ୍କୁ ବନ୍ଧକ ବନାଇ ଦେଇଥିଲେ । ଛାଡ଼ିବା ପାଇଁ ପୀଡ଼ିତାଙ୍କ ଘରକୁ ଫୋନ କରି ୫୦,୦୦୦ଟଙ୍କା ମାଗିବା ସହ ମାସେ ପର୍ଯ୍ୟନ୍ତ ନିଜ ବନ୍ଧୁମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଶୁକ୍ରବାର ପୀଡ଼ିତାଙ୍କ ପରିବାର ଲୋକେ ୧୭,୦୦୦ଟଙ୍କା ଦେଇଥିବା ବେଳେ ପୂରା ଟଙ୍କା ନ ମିଳିବାରୁ ଅଭିଯୁକ୍ତ ରାଗରେ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ଘଟଣା ପରେ ପୀଡ଼ିତାଙ୍କ ଚିତ୍କାର ଶୁଣି ଅଭିଯୁକ୍ତର ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।