ବିକାଶ ଚାହୁଁଛି ଲାଲଗଡ । ସ୍ୱାଭିମାନ ଅଂଚଳରେ ମେଳି କଲେ ୧୭ଟି ଗାଁର ହଜାର ହଜାର ଲୋକେ ।

ନୂତନ ଗ୍ରାମ ପଂଚାୟତ ସହ ମୌଳିକ ସୁବିଧା ଦାବିରେ ରଣହୁଁକାର ଦେଲେ ଗ୍ରାମବାସୀ

107

କନକ ବ୍ୟୁରୋ: ବିକାଶ ଚାହୁଁଛି ଲାଲଗଡ । ନୂତନ ଗ୍ରାମ ପଂଚାୟତ ସହ ମୌଳିକ ସୁବିଧା ଦାବି ନେଇ ଲାଲଗଡରେ ରଣହୁଁକାର ଦେଇଛନ୍ତି ୧୭ଟି ଗାଁର ଲୋକେ । ବର୍ଷ ବର୍ଷ ଧରି ରାସ୍ତା, ପାନୀୟ ଜଳ, ଆଙ୍ଗନୱାଡି, ସ୍ୱାସ୍ଥ୍ୟକେନ୍ଦ୍ର ଆଦି ମୌଳିକ ସୁବିଧା ପାଇଁ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ହେଁ ବିଚ୍ଛିନ୍ନାଂଚଳର ଆରପଟେ ବସବାସ କରୁଥିବା ଲୋକଙ୍କ ଦୁଃଖ ଶୁଣୁ ନାହାନ୍ତି କେହି । ସ୍ୱାଭିମାନ ଅଂଚଳ ଘୋଷଣା କରି ଚିତ୍ରକୋଣ୍ଡା ବ୍ଲକର ୫ଟି ପଂଚାୟତ ଉପରେ ସ୍ୱତନ୍ତ୍ର ଫୋକସ ରଖିଛନ୍ତି ସରକାର । ତେବେ ନାକାମାମୁଡି ପଂଚାୟତ ବାସିନ୍ଦାଙ୍କ ସମସ୍ୟା କେହି ବୁଝୁନଥିବା ଅଭିଯୋଗ ହୋଇଛି ।

ଲାଲଗଡରେ ପ୍ରଜାମେଳି , ହେଲେ ଏହା ସରକାର ବିରୋଧୀ ମେଳି ନୁହେଁ । ବରଂ ମୌଳିକ ସମସ୍ୟାର ସାଧନ ଲାଗି ଲାଲଗଡ ସ୍ଥିତ ବାୟାପଡା ଠାରେ ଏକାଠି ହୋଇଛନ୍ତି ନାକାମାମୁଡି ପଂଚାୟତର ୧୭ ଖଣ୍ଡ ଗାଁର ହଜାର ହଜାର ଲୋକେ । ସ୍ୱାଭିମାନ ଅଂଚଳର ଆରପଟେ ରହିଛି ନାକାମାମୁଡି ପଂଚାୟତ । ସମୁଦ୍ର ପତନ ଠାରୁ ୪ଶହ ଫୁଟ ଉଚ୍ଚରେ ଥିବା ପାହାଡିଆ ଗାଁକୁ ଚଢି ପାରିନି ବିକାଶ । ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ରହିଛି । ପାନୀୟ ଜଳ ପାଇଁ ପାହାଡି ଚୁଆଁ ହିଁ ଭରସା । ଅଙ୍ଗନଓାଡି, ବିଦ୍ୟାଳୟ ଚାଲିଛି ସରକାରୀ ଖାତାରେ । ପଥୁରିଆ ରାସ୍ତା ଅଛି, କିନ୍ତୁ ଦୁର୍ନୀତିର ଭାର ଅଧିକ ଥିବାରୁ ପୋଲ କଲଭର୍ଟ ଗୁଡିକ ଭୁଷୁଡି ପଡିଛି ।

ଟଙ୍କିକିଆ ଚାଉଳ ଓ ଭତ୍ତା ପାଇଁ, ଦୁଇ ଦିନ ଧରି ନଈ ପାହାଡ ଡେଇଁ ନାକାମାମୁଡି କିମ୍ବା ମୁଦୁଲିଗୁଡା ଗାଁକୁ ଯିବାକୁ ପଡୁଛି । ସ୍ୱାସ୍ଥ୍ୟସେବା ପାଇଁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି । ହେଲେ ଆଉ ନୁହେଁ ଏବେ ବିକାଶ ଆବଶ୍ୟକ । ପାହାଡି ଅଂଚଳରେ ୧୭ ଖଣ୍ଡା ଗାଁକୁ ନେଇ ବାୟାପଡା ଠାରେ ଗୋଟିଏ ନୂଆ ପଂଚାୟତ ଓ ବାଲିମେଳା ଜଳଭଣ୍ଡାର କଡରେ ଥିବା ୧୦ଟି ଗାଁକୁ ନେଇ ମୁଦୁଲିଗୁଡା ଠାରେ ଏକ ପଂଚାୟତ ଗଠନ କରିବାକୁ ଦାବି ହେଉଛି । ବ୍ଲକ ଓ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ,ପଂଚାୟତି ରାଜ୍ୟମନ୍ତ୍ରୀ ଏବଂ ଗୃହ କମିଟିଙ୍କୁ ଜଣାଇଲେ ବି କୌଣସି ସୁଫଳ ମିଳୁନାହିଁ । ୧୫ ବର୍ଷର ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରାଯିବ ବୋଲି ପ୍ରଜାମେଳିରେ ନିଷ୍ପତି ନେଇଛନ୍ତି ଗାଁ ଲୋକେ ।