କନକ ବ୍ୟୁରୋ: ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁରରୋଡ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ । ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାଇ ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଖାଇପିଇ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ ସେହି ଗାଁର କିଛି ଯୁବକ ଶୈଳ ବାଲମୁଜ୍ଙ୍କ ଘରେ ପଶି କାହିଁକି ଗୁଣିଗାରେଡି କରୁଛ କହି ବାଡାବାଡ଼ି କରିବା ସହିତ ଘରେ ନିଆଁ ଲଗେଇ ଦେଇଥିଲେ । ଫଳରେ ଦମ୍ପତି ଦୁଇଜଣ ଆଉ ଘରୁ ବାହାରି ନପାରି ଜିଅନ୍ତା ପୋଡିଯାଇ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ କେଶ ନମ୍ବର ୧୧୫/୨୩ରେ ଏକ ମାମଲା ରୁଜୁ କରି ୧୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ।
ଅନ୍ୟପଟେ ଦୀର୍ଘ ୩ବର୍ଷ ପରେ ଗୁରୁବାର ଏହି ଘଟଣାର ଦଣ୍ଡାଦେଶ ଦେଇଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ହୃଷିକେଶ ଆଚାର୍ଯ୍ୟ । ଶ୍ରୀ ଆଚାର୍ଯ୍ୟ ୨୦ ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟଗ୍ରହଣ କରିବା ପରେ ଏହି ଘଟଣାରେ ଜଡିତ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କେଶକୁ ସରକାରୀ ଓକିଲ ଭାବେ ପରିଚାଳନା କରୁଥିଲେ ଆଇନଜିବୀ ରଜତ କୁମାର ରାଉତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/8-18.jpg)