୧୬୯୮ ଗାଁରେ ପହଞ୍ଚିନି ବିଶୁଦ୍ଧ ପାନୀୟ ଜଳ । ସମସ୍ୟାର ସମାଧାନ କଣ ପଦକ୍ଷେପ ନେଇଛନ୍ତି ସରକାର, ବିଧାନସଭାରେ ଉତ୍ତର ଦେଲେ ମନ୍ତ୍ରୀ ।

81

କନକ ବ୍ୟୁରୋ : ପୂରା ବିଶ୍ୱକୁ ଏବେ ଘାରିଲାଣି ଜଳ ସଙ୍କଟ । ଏହି ତାଲିକାରୁ ଓଡ଼ିଶା ମଧ୍ୟ ବାଦ୍ ପଡିନାହିଁ । ଏସବୁ ଭିତରେ ରାଜ୍ୟର ଏମିତି ଅନେକ ଜିଲ୍ଲା ରହିଛି ଯେଉଁଠି ଏଯାଏଁ ବିଶୁଦ୍ଧ ପାନୀୟ ଜଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ସହରକୁ ଛାଡିଦେଲେ ରାଜ୍ୟର ଅନେକ ଗାଁ ରହିଛି ଯେଉଁଠି ଲୋକେ ପାନୀୟ ଜଳ ପାଇଁ ନଦୀ ଓ ପୋଖରୀ ଉପରେ ଭରସା କରୁଛନ୍ତି । ରାଜ୍ୟରେ କେତେ ଗାଁକୁ ଏଯାଏଁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ନାହିଁ ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ।

ରାଜ୍ୟରେ କେତେ ଗାଁରେ ବିଶୁଦ୍ଧ ଜଳ ପହଞ୍ଚିନାହିଁ ଓ ସରକାର ଏଥିପାଇଁ କଣ ପଦକ୍ଷେପ ନେଇଛନ୍ତି ସେନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଗୃହରେ ପ୍ରଶ୍ନ କରିଥିଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ । ଆଉ ଏହାର ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟରେ ଏବେ ୧୬୯୮ ଏପରି ଗାଁ ରହିଛି ଯେଉଁଠି ବିଶୁଦ୍ଧ ପାନୀୟ ଜଳ ସୁବିଧା ପହଞ୍ଚି ପାରି ନାହିଁ । ଆଉ ଏହି ସମସ୍ୟାର ସମାଧାନ ପାଇଁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ।

ଯେଉଁ ଅଞ୍ଚଳରେ ପାନୀୟ ଜଳରେ ଫ୍ଲୋରାଇଡର ମାତ୍ରା ଅଧିକ ରହିଛି ସେଠାରେ ଫ୍ଲୋରାଇଡ଼ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନୂଆ ନଳକୂପ ଖୋଳିବାକୁ ସରକାର ନିଷ୍ପତି ନେଇଛନ୍ତି । ସେହିଭଳି ଯେଉଁ ଅଞ୍ଚଳରେ ଜଳରେ ଅତି ମାତ୍ରାରେ ଳବଣ ଅଂଶ ରହିଛି ସେହି ଅଞ୍ଚଳରେ ଗଭୀର ଟ୍ୱିବୱେଲ ଖୋଳି ସାଧାରଣ ଲୋକଙ୍କୁ ଜଳ ଯୋଗାଇ ଦିଆଯିବ । ଏହାଛଡା ଲୌହ ମାତ୍ରା ଅଧିକ ଥିବା ଜଳ ସମସ୍ୟା ଦୂର କରିବା ପାଇଁ ନୂଆ ଉପାୟରେ ଟ୍ୟୁବୱେଲ ଖୋଳାଯାଉଛି ଯାହାଦ୍ୱାରା ଜଳରେ ଲୌହ ଅଂଶ କମାଯାଇପାରିବ । ଯାଜପୁର ଜିଲ୍ଲାର ସର୍ବାଧିକ ୬୧୭ ଗାଁକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିନଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।