ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍ । ଜାଣନ୍ତୁ, ୧୬,୮୦୦ କୋଟି ଟଙ୍କାର ବଜେଟରେ କେଉଁ ବିଭାଗକୁ କେତେ?

177

କନକ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭା ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ତେବେ ଏଥିପାଇଁ ମୋଟ୍ ୧୬ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯେଉଁଥିରେ ପ୍ରଶାସିକ ବ୍ୟୟବରାଦ ୪୯୩୪ କୋଟି ରହିଥିବାବେଳେ, କ୍ରାର୍ଯ୍ୟକ୍ରମ ବ୍ୟୟବରାଦ ୯୨୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୨୬୧୦ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦକୁ ୫୫.୫୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ତେବେ ଅତିରିକ୍ତ ବଜେଟରେ କ୍ରାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ବ୍ୟୟବରାଦ ହୋଇଥିବା ୯୨୦୦ କୋଟିରୁ ୨୦୬୬ କୋଟି ଠଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ତଥା ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ ବୋଲି ସୂଚନା ମିଳିଛି ।

ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ ୪୯୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିର ଥିବା ବଳକା ଅର୍ଥ ବାବଦକୁ ଅତିରିକ୍ତ ବଜେଟରେ ୨୬୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜନସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟରେ ୮୬୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୬୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ତା ସହିତ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍ ପାଇଁ ଅତିରିକ୍ତ ବଜେଟରେ ୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେପଟେ ଅତିରିକ୍ତ ବଜେଟରେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।