ଯୁଦ୍ଧଭୂମି ଆଫଗାନିସ୍ତାନରେ ଭୟଙ୍କର ଅନୁଭୂତି ଧରି ଭାରତ ଫେରିଲେ ୧୬୮ ଯାତ୍ରୀ । ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା ବିମାନ ।

259

କନକ ବ୍ୟୁରୋ : ଯୁଦ୍ଧଭୂମିରେ ପରିଣତ ହୋଇଥିବା ଆଫଗାନିସ୍ତାନରୁ ଭୟଙ୍କର ଅନୁଭୂତି ଧରି ସୁରକ୍ଷିତ ଭାବେ ଭାରତ ଫେରି ଅନୁଭୂତି ବଖାଣିଛନ୍ତି ଭାରତୀୟ ଓ ବିଦେଶୀ ନାଗରିକ । ଆଜି ଭାରତୀୟ ବାୟୁସେନାର ସି-୧୭ ବିମାନ କାବୁଲ ବିମାନବନ୍ଦରରୁ ୧୬୮ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଭାରତ ଆଣିଛି । ‘ଭାରତ ମାତା କି ଜୟ’ ନାରାରେ ପୂରା କମ୍ପିଥିଲା ବିମାନ । ଗାଜିଆବାଦର ହିଣ୍ଡନ ଏୟାରବେସରେ ବିମାନ ପହଞ୍ଚିବା ପରେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି ସମସ୍ତ ଯାତ୍ରୀ ।ଆଫଗାନିସ୍ତାନରେ ସାଂସଦ ଥିବା ଜଣେ ଭାରତୀୟ ଜନ୍ମମାଟିରେ ପହଁଚିବା ପରେ କାନ୍ଦି ପକାଇଛନ୍ତି ।

ଏ ଅଶ୍ରୁ ହେଉଛି ଖୁସିର ଅଶ୍ରୁ । ଯେତେବେଳେ ଜୀବନ ଚାଲିଯିବାର ଭୟ ଥାଏ , ଏବଂ ଆପଣଙ୍କ ଜୀବନ ବଂଚିଯାଏ, ତେବେ ଯେମିତି ଅନୁଭବ ହେବ, ଏହି ବ୍ୟକ୍ତିଙ୍କ ଠାରେ ଏବେ ସେହି ଅନୁଭୂତି ରହିଛି । ଏ ହେଉଛନ୍ତି ଆଫଗାନିସ୍ତାନର ଜଣେ ସାଂସଦ, ନରେନ୍ଦ୍ର ସିଂ ଖାଲସା । ଭାରତ ଫେରିବା ପରେ ଖୁସିରେ କାନ୍ଦିପକାଇଛନ୍ତି ।  ଆଉ କହିଛନ୍ତି, ମରଣ ମୁହଁରୁ ବଞ୍ଚିକି ଫେରିଛୁ । ଗତ ୨୦ ବର୍ଷ ମଧ୍ୟରେ ଯାହା ଦେଶ ପାଇଥିଲା ତାହା ବେଶ କେଇଟା ଦିନ ଭିତରେ ହରାଇଲା ।

କାବୁଲରୁ ୧୬୮ ଯାତ୍ରୀଙ୍କୁ ସୁରକ୍ଷିତ ଭାରତୀୟ ବାୟୁସେନାର ସି-୧୭ ବିମାନ ଉଦ୍ଧାର କରି ଭାରତ ଆଣିଛି । ଗାଜିଆବାଦର ହିଣ୍ଡନ ଏୟାରବେସରେ ବିମାନ ପହଂଚିବା ପରେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି ସମସ୍ତ ଯାତ୍ରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୦୭ ଜଣ ଭାରତୀୟ । ଭାରତ ପହଂଚିବା ପରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି ।

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶ ଛାଡିବାକୁ ହଜାର ହଜାର ଲୋକଙ୍କ ଭିଡ କାବୁଲ ଏୟାରପୋର୍ଟରେ ଜମିଛି । ମଝିରେ ମଝିରେ ତାଲିବାନ ବିମାନ ବନ୍ଦରକୁ ଆସି ଯାଞ୍ଚ କରି ବିଦେଶୀ ନାଗରିକଙ୍କୁ ଛାଡୁଛନ୍ତି । ଏପଟେ ଭାରତ ସରକାର ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି । ପ୍ରତ୍ୟେକ ଦିନ ଦୁଇଟି ବିମାନ କାବୁଲକୁ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି  ।