ଡିଜିଟାଲ ଯୁଗରେ ବି ଅନ୍ଧାରରେ ରାୟଗଡ଼ାର ୧୬୭ଟି ଗାଁ। ସନ୍ଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ ।

75

କନକ ବ୍ୟୁରୋ: ସ୍ୱାଧୀନତାର ୭୫ବର୍ଷ ପରେ ବି ଅନ୍ଧକାରରେ ବିତୁଛି ଦିନ । ସନ୍ଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ । ପିଲାଙ୍କ ପାଠପଢ଼ା ବି ବନ୍ଦ ହୋଇଯାଉଛି । କାରଣ ଏବେ ବି ବିଜୁଳି ଆଲୋକ ଠାରୁ ଅନେକ ଦୂରରେ ଏମାନେ । ଏ ଭଳି ଦୃଶ୍ୟ ଆସିଛି ରାୟଗଡ଼ା ବ୍ଲକ କର୍ଲାକଣା ଗାଁର । ସରକାର ଡିଜିଟାଲାଇଜେସନର ନାରା ଦେଉଥିବା ବେଳେ ଏହି ଗାଁରେ କିନ୍ତୁ ଅଲଗା ଚିତ୍ର ଦେଖିବାକୁ ମିଳିଛି । ଅନ୍ୟପଟେ ଲୋକଙ୍କ ପାଖରେ ଡିବି ଆଲୁଅ ପାଇଁ କିରୋସିନି କିଣିବାକୁ ପଇସା ନାହିଁ । ଲୋକଙ୍କୁ ୧ ଟଙ୍କାରେ ଚାଉଳ ମିଳୁଥିବା ବେଳେ କିରୋସିନି ଲିଟର ପିଛା ପାଖାପାଖି ୮୦ ଟଙ୍କା ଦେଇ କିଣିବାକୁ ପଡ଼ୁଛି ।

ରାୟଗଡ଼ାର ଜିଲ୍ଲାର ପାଖାପାଖି ୧୬୭ଟି ଗାଁରେ ପହଞ୍ଚିପାରିନି ବିଜୁଳି ଆଲୋକ ।ଦୁର୍ଗମ ଅଞ୍ଚଳର ଏହି ଲୋକମାନେ ଦିନ ମଜୁରିଆ ଭାବେ ଦିନ କାଟୁଥିବାରୁ ଏମାନଙ୍କ ପକ୍ଷେ କିରୋସିନ୍ କିଣିବାକୁ ମଧ୍ୟ ପଇସା ନାହିଁ । ତେବେ ଅଧିକାଂଶ ଗାଁରେ ଲାଗିଥିବା ସୋଲାର ଲାଇଟ୍ ମରମତି ନହୋଇ ପଡ଼ିରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଷମକଟକ ବ୍ଳକରେ ଏସଏଫଏସ୍ ଓ ଏନଏଫଏସରେ ମୋଟରେ ୨୭,୭୦୨ଟି କାର୍ଡ ଥିବା ବେଳେ ମାସିକ ୨୭୯୭୯.୦୨ ଲିଟର କିରାସିନି ଦରକାର ପଡୁଥିବା ବେଳେ ବିଷମକଟକ ବ୍ଳକରେ ଲିଟର ପିଛା ଦର ରହିଛି ୭୫ ଟଙ୍କା ୮୪ ପଇସା । ଚନ୍ଦ୍ରପୁର ବ୍ଳକରେ ୧୧,୨୭୦ଟି କାର୍ଡ ଥିବା ବେଳେ ମାସିକ ୧୧୩୮୨.୭୦ ଲିଟର କିରାସିନି ଆବଶ୍ୟକ ହେଉଛି, ଯାହାର ମୂଲ୍ୟ ରହିଛି ଲିଟର ପିଛା ୭୬ ଟଙ୍କା ୪୮ ପଇସା । କଲ୍ୟାଣସିଂହପୁରରେ ୧୮,୦୪୯ କାର୍ଡ ପାଇଁ ସମୁଦାୟ ୧୮୨୨୯.୪୯ ଲିଟର ଦରକାର, ଯାହାର ମୂଲ୍ୟ ଲିଟର ପିଛା ୭୫ ଟଙ୍କା ୮୪ ପଇସା ରହିଛି । ମୁନିଗୁଡାରେ ୨୬,୦୧୬ ଟି କାର୍ଡ ପାଇଁ ସମୁଦାୟ ୨୬୨୭୬.୧୬ ଲିଟର ଦରକାର, ଯାହାର ମୂଲ୍ୟ ଲିଟର ପିଛା ୭୬ ଟଙ୍କା ୧୯ ପଇସା ରହିଛି । ପଦ୍ମପୁରରେ ୧୪,୧୩୭ ବଟି କାର୍ଡ ପାଇଁ ସମୁଦାୟ ୧୪୨୭୮.୩୭ ଲିଟର, ଯାହାର ମୂଲ୍ୟ ଲିଟର ପିଛା ୭୫ ଟଙ୍କା ୮୫ ପଇସା ରହିଛି । ରାୟଗଡା ବ୍ଳକ ଓ ମ୍ୟୁନିସିପାଲିଟିରେ ୪୧,୯୬୨ଟି କାର୍ଡ ପାଇଁ ସମୁଦାୟ ୪୨୩୮୧.୩୫ ଲିଟର କିରୋସିନି ଦରକାର ହୋଉଥିବା ବେଳେ ଯାହାର ସରକାରୀ ସ୍ତରରେ ମୂଲ୍ୟ ଲିଟର ପିଛା ୭୫ ଟଙ୍କା ୬୧ ପଇସା ରହିଛି । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ଏହି ଯୋଜନା ଗୁଡ଼ିକର ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।