ନାବାଳକ ଆଥଲେଟଙ୍କୁ ଯୌନ ନିର୍ଯାତନା । ଅପମାନ ସହିନପାରି କଲେ ଆତ୍ମହତ୍ୟା ଉଦ୍ୟମ, ବନ୍ଧାହେଲେ ଅଭିଯୁକ୍ତ ।

167

କନକ ବ୍ୟୁରୋ : ନାବାଳକ ଆଥଲେଟଙ୍କୁ ଯୌନ ନିର୍ଯାତନା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଷ୍ଟେଟ ଆଥଲେଟିକ୍ ମିଟରେ ଭାଗନେବାକୁ ଆସିଥିବା ବେଳେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ଲଙ୍ଗ୍ ଜମ୍ପ ଇଭେଂଟରେ ଅସଫଳ ହେବାରୁ ସିନିୟର ଖେଳାଳୀମାନେ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଡିସିପିଙ୍କୁ ପରିବାର ଲୋକ ଭେଟି ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କରିଛି ପୁଲିସ ।

ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯ୍ୟାତନା । ଆଥଲେଟଙ୍କୁ ଉଲଗ୍ନ କଲେ, ଭିଡିଓ କଲ କରି ଦେଖାଇଲେ । ଏକ ପରିବାର ସହିତ ଏଭଳି ଘଟଣା ଘଟିଛି ଯାହା ଅନ୍ୟମାନଙ୍କ ଆଗରେ ବୟାନ ବି କରିହେବ ନାହିଁ । ବାଧ୍ୟହୋଇ ଏମାନେ ଆସିଛନ୍ତି ପୁଲିସ ପାଖକୁ । ରାଜଧାନୀର ଏକ ବଡ ଘରୋଇ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଅଣ୍ଡର ଏଇଟିନ ଲଙ୍ଗ ଜମ୍ପରେ ଷ୍ଟେଟ୍ ମିଟ୍ କ୍ୱାଲିଫାଏ କରିଥିବା ରାଉରକେଲାର ଆଥଲେଟ୍ ଏଭଳି ସଙ୍ଗୀନ ଓ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ୩ ଜଣ ସିନିୟର ଆଥଲେଟ୍, ନାବାଳକଙ୍କୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସର ଏକ ରୁମ ଭିତରେ ରାତି ଅଧରେ ର୍ୟାଗିଂ କରିବା ସହ ଉଲଗ୍ନ ହୋଇ ଚୌକିରେ ବସିବାକୁ କହିଥିଲେ । ଏହାପରେ ସେହି ୩ ଜଣ ଯୌନ ଶୋଷଣ କରିବା ସହ ଭିଡିଓ କଲ କରି ଅନ୍ୟମାନଙ୍କୁ ଦେଖାଇଥିଲେ ।

ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର । ପରିବାର ଲୋକେ ବୁଝାଇବା ପରେ ଟଳିଲା ବିପଦ । ଏଭଳି ଅପମାନ ସହିପାରିନଥିଲେ ରାଉରକେଲାରୁ ଆସିିଥିବା ନାବାଳକ ଜଣକ । ସବୁଦିନ ପାଇଁ ବିଦାୟ ନେବାକୁ ଯୋଜନା କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଠିକ ସମୟରେ ତାଙ୍କ ମାଆ ଜାଣିପାରିଥିଲେ ଓ ନିଜ ପୁଅକୁ ବଞ୍ଚାଇପାରିଥିଲେ ।

ଅଭିଯୋଗ ପାଇବା ପରେ ଆକ୍ସନ ମୋଡକୁ ଆସିଥିଲା ପୁଲିସ । ନିର୍ଯାତନା ଦେଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନଙ୍କ ନାଁରେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ଆଇଟି ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୁଲିସ ।