ଜୁନିୟର ପୁରୁଷ ହକି ବିଶ୍ୱକପ୍ : ଲଢେଇ ପାଇଁ ପ୍ରସ୍ତୁତ ୧୬ ଦଳ, ମହାଯୁଦ୍ଧକୁ ଅପେକ୍ଷା

104

ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଶ୍ବଯୁଦ୍ଧକୁ ଅପେକ୍ଷା । ପ୍ରଥମ ଥର ପାଇଁ ଅବଶ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ବିନା ଦର୍ଶକରେ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ତଥାପି ଚିର ସବୁଜ କଳିଙ୍ଗ ବୋହୁ ବେଶରେ ସଜେଇ ହୋଇଛି। ପ୍ରବେଶ ପଥରେ ଖେଳାଳିଙ୍କୁ ସ୍ବାଗତ କରୁଛନ୍ତି ନାନା ରକମର ପୁଷ୍ପର ସମ୍ଭାର । ୧୬ଟି ଯାକ ଦେଶର ପତାକା କଳିଙ୍ଗ ହକି କଂପ୍ଲେକ୍ସ ଉପରେ ସଗର୍ବେ ଉଡ଼ୁଛନ୍ତି । ଖେଳାଳିମାନେ ଘନ ଘନ ପ୍ରସ୍ତୁତି କରି ମହାଲଢ଼େଇ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାରେ ଲାଗିଛନ୍ତି । ଆକର୍ଷଣର କେନ୍ଦ୍ରବିନ୍ଦୁ କିନ୍ତୁ ଅଛି ଭାରତୀୟ ଦଳ ।

୬ ବର୍ଷ ତଳେ ଲକ୍ଷ୍ନୌ‌ରେ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍‌ରେ ଭାରତ ବିଜେତା ‌ହୋଇଥିଲା । କଳିଙ୍ଗରେ ସେହି କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଭିନ୍ନ ଗ୍ରୁପ୍‌ରେ ଥିଲେ ମଧ୍ୟ ପ୍ରତିଯୋଗିତାର କୌଣସି ପର୍ଯ୍ୟାୟରେ ଉଭୟ ମୁହାଁମୁହିଁ ହୁଅନ୍ତୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ବେଲଜିୟମ, ଆର୍ଜେଣ୍ଟିନା, ଚିଲି, ନେଦରଲାଣ୍ଡ, ଫ୍ରାନ୍ସ, କାନାଡା, ପୋଲାଣ୍ଡ, ସ୍ପେନ୍, ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ସହ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି, କେହି କାହାରିକୁ କମ ନୁହନ୍ତି । ଏଣୁ ଏହି ପ୍ରତିଯୋଗିତା (ନଭେମ୍ବର ୨୪ରୁ ଡିସେମ୍ବର ୫)୧୨ ଦିନ ପର୍ଯ୍ୟନ୍ତ ଓଡ଼ିଶା, ଭାରତ ଓ ସର୍ବୋପରି ବିଶ୍ବ ହକିପ୍ରେମୀଙ୍କ ହୃତସ୍ପନ୍ଦନ ପାଲଟିବ ବୋଲି ଆଶା କରାଯାଉଛି ।

କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଏଥରର ଫର୍ମାଟ୍ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି । ୧୬ ଦଳକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି । ପୁଲ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ତିନିଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ୨ ଦଳ କ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ। ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳ ନବମରୁ ଷୋଡ଼ଶ ସ୍ଥାନ ପାଇଁ ବିଭିନ୍ନ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବେ। କ୍ବାର୍ଟର ଫାଇନାଲ୍‌ର ଚାରିଟି ବିଜୟୀ ଦଳ ସେମିଫାଇନାଲ୍ ଏବଂ ସେମିଫାଇନାଲ୍‌ର ବିଜେତା ଦଳଙ୍କୁ ‌ନେଇ ମେଗା ଫାଇନାଲ ଖେଳାଯିବ ।

ଭାରତ ପୁଲ-ବି’ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହ ରହିଛି । ସେପଟେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ପୁଲ୍-ଡି’ର ଶୋଭା ବଢ଼ାଉଛି। ଏହି ପୁଲ୍‌ର ଅନ୍ୟ ୩ ଦଳ ହେଲେ ଜର୍ମାନି, ଆର୍ଜେଣ୍ଟିନା ଓ ଇଜିପ୍ଟ। ପ୍ରତିଯୋଗିତା କିନ୍ତୁ ବେଲଜିୟମ-ଦକ୍ଷିଣ ଆଫ୍ରିକା ପୁଲ୍‌ ଏ’ ମ୍ୟାଚ୍‌ରୁ ଆରମ୍ଭ ହେବ। ନଭେମ୍ବର ୨୪ରୁ ୨୮ର ପୁଲ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୫ ମ୍ୟାଚ୍ ଖେଳାଯିବ ।