ବଢୁଛି ବେରୋଜଗାରୀ, ବଢୁଛି ଚିନ୍ତା । ଆସିଲା ସାଂଘାତିକ ତଥ୍ୟ, କେବଳ ଅଗଷ୍ଟ ମାସରେ ଚାକିରି ହରାଇଛନ୍ତି ୧୬ ଲକ୍ଷ ଲୋକ ।

377

କନକ ବ୍ୟୁରୋ : ଦେଶରେ ଜିଡିପି ଏବେ ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ଜିଏସଟି ଆଦାୟ ବି ସକରାତ୍ମକ ରହିଛି । ଏହାରି ମଧ୍ୟରେ ଦେଶ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଖବର ମୁତାବକ ଅଗଷ୍ଟ ମାସରେ ପୁଣିଥରେ ବେରୋଜଗାରୀ ହାର ବି ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମୀ (ସିଏମଆଇଇ)ର ସୂଚନା ମୁତାବକ କେବଳ ଅଗଷ୍ଟ ମାସରେ ଦେଶରେ ପାଖାପାଖି ୧୬ ଲକ୍ଷ ଲୋକ ଚାକିରି ହରାଇଛନ୍ତି ।

ସିଏମଆଇଇର ସର୍ଭେ ରିପୋର୍ଟ ମୁତାବକ ଅଗଷ୍ଟ ମାସରେ ବେରୋଜଗାରି ଦର ବୃଦ୍ଧି ପାଇ ୮.୩୨ ପ୍ରତିଶତରେ ପହଞ୍ଚିଛି, ଯାହାକି ଜୁଲାଇ ମାସରେ ୬.୯୫ ପ୍ରତିଶତ ଥିଲା । ଅଗଷ୍ଟ ମାସରେ ସହରୀ ବେରୋଜଗାରି ଦର ପାଖାପାଖି ୧.୫ ପ୍ରତିଶତ ବୃଦ୍ଧି ପାଇ ୯.୭୮ ପ୍ରତିଶତ ହୋଇଛି, ଯାହାକି ଜୁଲାଇ ମାସରେ ୮.୩ ପ୍ରତିଶତ ଥିଲା । ସେହିଭଳି ଗ୍ରାମୀଣ ବେରୋଜଗାରି ଦର ଅଗଷ୍ଟ ମାସରେ ୧.୩ ପ୍ରତିଶତ ବୃଦ୍ଧି ପାଇ ୭.୬୪ ରେ ପହଞ୍ଚିଛି, ଯାହାକି ଜୁଲାଇ ମାସରେ ୬.୩୪ ପ୍ରତିଶତ ଥିଲା । ସିଏମଆଇଇର ରିପୋର୍ଟ ମୁତାବକ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ଜୁଲାଇ ମାସରେ ୩୯.୯୩ କୋଟିରୁ ହ୍ରାସ ପାଇ ୩୯.୭୭ କୋଟିରେ ପହଞ୍ଚିଛି । ଏହି କ୍ରମରେ ଗ୍ରାମୀଣ କ୍ଷେତ୍ରରେ ୧୩ ଲକ୍ଷ ଲୋକ ବୃତ୍ତି ହରାଇଛନ୍ତି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏପ୍ରିଲରୁ ଜୁନ ମାସ ମଧ୍ୟରେ ତ୍ରୈମାସିକ ଜିଡିପିକୁ ନଜର କଲେ ଅନୁମାନ କରାଯାଉଛି ଯେ କରୋନା ମହାମାରୀ ଭିତରେ ବି ଦେଶର ଅର୍ଥ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିଛି । ଅନ୍ୟପଟେ ଜିଡିପି ବୃଦ୍ଧି ହାର ୨୦.୧ ପ୍ରତିଶତ ବୃଦ୍ଧିପାଇଛି । ହେଲେ ଜିଡିପି କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବା ବେଳେ ଅଗଷ୍ଟ ମାସରେ ପୁଣି ବେରୋଜଗାରି ହାର ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।