କନକ ବ୍ୟୁରୋ: ସ୍ଥାନ- ଉତ୍ତର ସିକ୍କିମ, ତାରିଖ- ୨୩ ଡିସେମ୍ବର, ଶୁକ୍ରବାର, ସମୟ- ସକାଳ ୮ଟା । ସିକ୍କିମର ଚାଟେନରୁ ଏକ ସଙ୍ଗେ ବାହାରିଥିଲା ୩ଟି ଯବାନ ଗାଡି । ଥାଙ୍ଗୁ ଆଡ଼କୁ ଆର୍ମି ଟ୍ରକ୍ ଆଗକୁ ବଢ଼ୁଥିଲା । ହେଲେ ଜେମା ପାସ୍ ନିକଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଗୋଟିଏ ଯବାନ ଗାଡ଼ି ଦୁର୍ଘଟଣାର ଶୀକାର ହେଲା, ରାସ୍ତାରୁ ତଳକୁ ଖସିପଡ଼ିଲା । ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଗାଡ଼ିଟି ଭାଙ୍ଗିରୁଜି ଚୁରମାର ହୋଇଗଲା, ଆଉ ସହିଦ ହୋଇଗଲେ ୧୬ ଜଣ ଯବାନ । ଏମାନଙ୍କ ମଧ୍ୟରେ ୩ ଜଣ ଜୁନିୟର କମିଶନଡ୍ ଅଫିସର ବି ଥିଲେ ।
ଦୁର୍ଘଟଣା ଘଟିଥିବା ଜାଗା ଅତି ଦୁର୍ଗମ ଅଂଚଳ । ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆହତ ହୋଇଥିବା ୪ ଜଣ ଯବାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ସେଠାରେ ଆହତ ୪ ଯବାନଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସୀମାରେ ଏବେ ଚୀନ୍ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ରଚୁଛି । ଏହାକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ବ୍ୟାପକ ସେନା ମୁତୟନ କରାଯାଇଛି ।