ନିଶାରେ ବୁଡି଼ଛି ଦେଶ ! ବଢିବାରେ ଲାଗିଛି ନିଶାସକ୍ତଙ୍କ ସଂଖ୍ୟା, ରାଜ୍ୟସଭାରେ ରିପୋର୍ଟ ଦେଲେ ମନ୍ତ୍ରୀ

235

କନକ ବ୍ୟୁରୋ: ନିଶାରେ ଝୁମୁଛି ଦେଶ । ଦିନକୁ ଦିନ ଭାରତରେ ବଢିବାରେ ଲାଗିଛି ନିଶାସକ୍ତ ଲୋକଙ୍କ ସଂଖ୍ୟା । ଖାଲି ଯୁବକ କିମ୍ବା ବୟସ୍କ ଲୋକ ନୁହଁନ୍ତି ଛୋଟଛୋଟ ପିଲା ମଧ୍ୟ ନିଶା କବଳରେ ପଡିଛନ୍ତି । ମଦ, ସିଗାରେଟ, ଗଞ୍ଜେଇ, ଅଫିମର ନିଶା ଏମିତି ଘାରିଛି ଯେ ସ୍କୁଲ ଯାଉଥିବା ପିଲା ମଧ୍ୟ ଉକ୍ତ ନିଶା ଅଭ୍ୟାସରେ ପଡିଛନ୍ତି ।


ତେବେ ଭାରତର ୧୬ କୋଟିରୁ ଅଧିକ ଲୋକ ମଦ୍ୟପାନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୫.୭ କୋଟି ଲୋକ ଗଞ୍ଜେଇ ଖାଉଛନ୍ତି । ୧୦-୭୫ ବର୍ଷ ବୟସ ମଧ୍ୟରେ ୧.୧୮ କୋଟି ଲୋକ ସେଡିଟିଭ୍ସ ନେଉଥିବା ବେଳେ ୭୭ ଲକ୍ଷ ଲୋକ ଇନହେଲାଣ୍ଟସ ବ୍ୟବହାର କରୁଛନ୍ତି । ତେବେ ନିଶାସେବନ ନେଇ ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ ।


ଗେହଲଟ କହିଛନ୍ତି ୨୦୧୮ରେ ନିଶାସେବନ ନେଇ ଏକ ବଡ ସର୍ଭେ କରାଯାଇଥିଲା । ଏହାର ଦାୟିତ୍ୱ ନ୍ୟାସନାଲ ଡ୍ରଗ୍ ଡିପେଣ୍ଡସ ସେମ୍ଟର (ଏନଡିଡିଟିସି) ଓ ଏମସ ନୂଆଦିଲ୍ଲୀକୁ ଦିଆଯାଇଥିଲା । ଏହି ସର୍ଭେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ୧୦ଟି ବଡ ସହରର ସ୍କୁଲ ଗୁଡିକରେ ସର୍ଭେ କରାଯାଉଛି । ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରମାନେ କେଉଁ ପ୍ରକାର ନିଶା ଗ୍ରହଣ କରୁଛନ୍ତି ତାହା ଖୁବ ଶୀଘ୍ର ଜଣାପଡିବ ।