ଆରମ୍ଭ ହେଲା ପୂର୍ବ ଭାରତର ବଡ ହସ୍ତଶିଳ୍ପ ମେଳା ତୋଷାଳି ମେଳା : ରାଜ୍ୟ ଓ ରାଜ୍ୟ ବାହାରୁ ୨୫୦ଟି ଷ୍ଟଲ ସାମିଲ; ଆସନ୍ତା ୪ ତାରିଖ ଯାଏଁ ଚାଲିବ ମେଳା 

 ଉଦଘାଟନ ଅବସରରେ କୋଭିଡ୍ କଟକଣା ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 

285

କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ୧୫ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଭର୍ଚ୍ୟୁଆଲ ଉତ୍ସବ ଜରିଆରେ ଏହାର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅସାଧାରଣ ପରିସ୍ଥିତିରେ ଏହି ପୂର୍ବ ଭାରତ ବିଶାଳ ମେଳା ଆୟୋଜିତ ହେଉଛି । ତେଣୁ ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହି ସଭାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଉପସ୍ଥିତ ରହିଥିଲେ । ଏହି ମେଳା ଜାନୁଆରୀ ୨୧ରୁ ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୪ ତାରିଖରେ ଶେଷ ହେବ ।

ପ୍ରତିଦିନ ଏହା ଅପରାହ୍ନ ୨ଟାରେ ଖୋଲିବା ସହ ରାତି ୯ଟାରେ ବନ୍ଦ ହେବ । ଚଳିତ ବର୍ଷ ୧୫ ଦିନ ଧରି ହେବାକୁ ଥିବା ଏହି ବିଶାଳ ମେଳାରେ ମୋଟ ୨୫୦ଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ କେବଳ ଆମ ରାଜ୍ୟର ୧୭୦ ଷ୍ଟଲ ରହିଛି । କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଦର୍ଶକଙ୍କ ଥର୍ମାଲ୍ ସ୍କ୍ରିନିଂ ଓ ହାତ ସାନିଟାଇଜ୍ କରାଯିବା ପରେ ଭିତରକୁ ପ୍ରବେଶ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ମେଳାରେ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି ।