ବିଭୀଷିକାକୁ ପୂରିଲା ବର୍ଷେ : ଆଜିର ଦିନରେ ଚିହ୍ନଟ ହୋଇଥିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

ବର୍ଷେ ପରେ ବି ଯାଇନି ଭୟ; ଏବେବି ମାଡ଼ି ଚାଲିଛି ମହାମାରୀ

189

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାର ଭୟ ଆଜି ଯାଏଁ ଯାଇ ନାହିଁ । କିନ୍ତୁ ବିିଭୀଷିକାର ସେହି ଭୟାଭହ ପରିସ୍ଥିତିକୁ ବର୍ଷେ ପୁରିଛି । ଆଜିର ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ୧୫ ମାର୍ଚ୍ଚ ୨୦୨୦ ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ରାଜଧାନୀରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ।

ବିଶ୍ୱର ଅନ୍ୟାନ୍ୟ ଭାଗରେ ଯେଉଁ ମହାମାରୀ ବ୍ୟାପି ଚାଲିଥିଲା, ତାହା ଆମ ଆଡ଼େ ଆସିବ ନାହିଁ ବୋଲି ଏକପ୍ରକାର ଧାରଣା ତିଆରି ହେଉଥିଲା । ହେଲେ ଭୁବନେଶ୍ୱର ବରଗଡ଼ ଅଂଚଳର ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମହାମାରୀ ଓଡ଼ିଶା ଆସିଗଲା ବୋଲି ଖବର ଚାରିଆଡ଼େ ବିଜୁଳି ବେଗରେ ବ୍ୟାପିଗଲା । ରାଜଧାନୀକୁ ଫେରୁଥିବା ଜଣେ ପରେ ଜଣେ ପ୍ରବାସୀ ଓଡ଼ିଶା କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ଏହି ସଂଖ୍ୟାକୁ ବଢ଼ାଇ ଚାଲିଲେ ଦିଲ୍ଲୀର ତବଲିଗ୍ ଜମାତରେ ଯୋଗ ଦେଇଥିବା ବ୍ୟକ୍ତି । ସ୍ଥାନୀୟ ସଂକ୍ରମଣ ଏତେ ବଢ଼ିଗଲା ଯେ କରୋନାର ହଟସ୍ପଟ୍ ପାଲଟିଗଲା ରାଜଧାନୀ ଭୁବନେଶ୍ୱର ।

ଆରମ୍ଭ ହୋଇଗଲା ଲକ୍ ଡାଉନ ସଟ ଡାଉନ । ନିଜ ଘରେ ଗୃହବନ୍ଦୀ ପାଲଟିଗଲେ ଲକ୍ଷ ଲକ୍ଷ ଲୋକ । ଶୂନଶାନ ହୋଇଗଲା ରାସ୍ତା, ବନ୍ଦ ହୋଇଗଲା ମଲ୍ ଏବଂ ହଲ୍ ସବୁକିଛି । ଭୁବନେଶ୍ୱର ସୂର୍ଯ୍ୟନଗର ଓ ବମିଖାଲରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ରାଜଧାନୀର ସୀମା ଡେଇଁ ଗାଁକୁ ବ୍ୟାପିଗଲା ।

ଧୀରେ ଧୀରେ ପରିସ୍ଥିତି ଏମିତି ସଂଗୀନ ହେବାକୁ ଲାଗିଲା ସତ୍ୟନଗର ଶଶ୍ମାନରେ ଜୁଲାଇରୁ ନଭେମ୍ବର ଯାଏଁ ପ୍ରତିଦିନ ଯୁଇ ନିଆଁ ଲିଭୁ ନଥିଲା । ଦିନକୁ ୨୦ରୁ ୩୦ଜଣଙ୍କ ଶବଦାହ ଭଳି ଖବର ବି ଆସିଲା । ପ୍ରାୟ ୬ମାସ ଧରି ଲାଗି ରହିଲା ଭୀଷଣ ସ୍ଥିତି । ଏବେ ରାଜ୍ୟରେ ସେ ପରିସ୍ଥିତି ଆଉ ନାହିଁ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ସକ୍ରିୟ ସଂକ୍ରମଣ ସଂଖ୍ୟା ୬୫୨ ଥିବା ବେଳେ ୧୫ଟି ଜିଲ୍ଲାରେ ଏହି ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ଅଛି ।