କନକ ବ୍ୟୁରୋ : ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କେନ୍ଦ୍ରାପଡ଼ା । ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୩ ଲକ୍ଷ ପରିବାରର ମୋଟ ୧୧ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃ୍ତ ହେବେ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳସେଚନ ଠାରୁ ଆରମ୍ଭ କରି ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ମେଗା ପାନୀୟ ଜଳ ପ୍ରକଳ୍ପ ବାବଦକୁ ୧୫୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Advertisment

ଏହାସହ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ନବୀନ କହିଛନ୍ତି, ବିଜୁ ବାବୁଙ୍କ କର୍ମଭୂମି ଥିଲା କେନ୍ଦ୍ରାପଡ଼ା । ଆଜି ବି କେନ୍ଦ୍ରାପଡ଼ାର ମାଟି, ପାଣି ଓ ପବନରେ ବିଜୁ ବାବୁ ରହିଛନ୍ତି । ଏବେ କେନ୍ଦ୍ରାପଡ଼ା ଦେଶର ଇଣ୍ଡଷ୍ଟ୍ରି ମ୍ୟାପରେ ଯୋଡି ହେବାକୁ ଯାଉଛି । ଏହା କେନ୍ଦ୍ରାପଡ଼ାକୁ ବିକାଶ ପଥରେ ଆଗେଇ ନେବ ।

ଏହାସହ ନବୀନ କହିଛନ୍ତି,  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଅଣାଯାଇଛି । ରାଜ୍ୟର ୯୬ ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ଦିଆଯିବ । ଆଉ ଏହାଦ୍ୱାରା ସାଢେ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ । କୌଣସି ଲୋକ ଯେପରି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ନ ହେବେ ତାହାକୁ ଦୃଷ୍ଟିରେ ରଖି ଏହି କାର୍ଡ ବଣ୍ଟାଯାଉଛି । ପ୍ରାୟ ୨୦୦ଟି ହସ୍ପିଟାଲରେ  ଏହି କାର୍ଡ ଦେଖାଇ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଏହି କାର୍ଡରେ ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସୁବିଧା ଯୋଗାଇଦେବେ ସରକାର । ଏଭଳି ସୁବିଧା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

ପରିବାରରେ କେହି ଅସୁସ୍ଥ ହେଲେ ସମସ୍ତଙ୍କର ଚିନ୍ତା ବଢିଯାଏ । ଅର୍ଥ ଅଭାବ ପାଇଁ କିଏ ଚିକିତ୍ସାରୁ ବଞ୍ଚିତ ହୁଏ ତ ପୁଣି କିଏ ଜମି ବିକି ଚିକିତ୍ସା କରାଏ । ଏପରିକି କିଛି ଲୋକ ନିଜ ପିଲାର ପାଠପଢା ବନ୍ଦ କରି ଚିକିତ୍ସା ଖର୍ଚ୍ଚ ଉଠାଇଥାଏ । ଆଉ ଏହି ଖବର ଶୁଣିଲେ ମୋତେ ବହୁତ ଦୁଃଖ ଲାଗେ । ତେବେ ଲୋକଙ୍କ ଏହି ଦୁଃଖ ଦୂର କରିବ ସ୍ମାର୍ଟ ହେଲଥ କାର୍ଡ । ଏହି କାର୍ଡ ଦେଖାଇ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସେ ଚାଷୀ ହେଉ କି ମୂଲିଆ କି ରିକ୍ସାବାଲା କି ଦୂରରେ ଥିବା ଓଡ଼ିଆ । ସମସ୍ତେ ସୁସ୍ଥ ରୁହନ୍ତୁ ଓ କେହି ଅର୍ଥ ପାଇଁ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ ସ୍ୱାସ୍ଥ୍ୟସେବା ଉପରେ ଫୋକସ ରଖାଯାଇଛି ।