ଚିନ୍ତା ବଢାଉଛି କଲିକତା ଲିଙ୍କ୍: ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି; କେଉଁ ଜିଲ୍ଲାରେ କଣ ରହିଛି କରୋନାର ସ୍ଥିତି

510

କନକ ବ୍ୟୁରୋ: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହାକୁ ମିଶାଇ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୫୪କୁ ବୃଦ୍ଧି ହୋଇଛି । ନୂଆ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ବୋଲି ଜଣାପଡିଛି । ଏହା ସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତ ସଂଖ୍ୟାରେ ଏବେ ଖୋର୍ଧା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ।

ଗତକାଲି ଯାଜପୁରରେ ୪ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ୧୫୪ରେ ପହଁଚିଥିବା ବେଳେ ମୋଟ୍ ଆକ୍ଟିଭ୍ କେସ୍ ୯୮ ରହିଛି । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେଣି ୫୫ ଜଣ । କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖୋର୍ଦ୍ଧା – ୪୭ , ଯାଜପୁର – ୪୫ , ବାଲେଶ୍ୱର – ୨୦ , ଭଦ୍ରକ — ୧୯
ସୁନ୍ଦରଗଡ- ୧୦ , ବଲାଙ୍ଗିର ୨ , କେନ୍ଦ୍ରାପଡା – ୨ , କଳାହାଣ୍ଡି – ୨
କୋରାପୁଟ – ୧ , କେନ୍ଦୁଝର ୧ , ଢେଙ୍କାନାଳ – ୧ , କଟକ – ୧
ପୁରୀ- ୧ , ଝାରସୁଗୁଡା – ୧ , ଦେବଗଡ – ୧

ଏପଟେ, ଯାଜପୁରରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ନେଇ ଅଧିକ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ନୂଆକରି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ୩ ଜଣ ପୁରୁଷଙ୍କ ବୟସ ହେଉଛି ୨୮ ବର୍ଷ, ୫୬ ବର୍ଷ ଓ ୬୩ ବର୍ଷ । ୨ ଜଣ ମହିଳାଙ୍କ ବୟସ ହେଉଛି ୨୪ ଓ ୬୦ ବର୍ଷ । ଏହି ସମସ୍ତ ଆକ୍ରାନ୍ତଙ୍କର ରହିଛି କୋଲକାତା ଲିଙ୍କ୍ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମାନଙ୍କର ଗସ୍ତ ଇତିହାସ ଓ କଂଟାକ୍ଟ ଟ୍ରେସିଂ ଖୋଜିବା ଆରମ୍ଭ ହୋଇଛି ।