ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୫୩ ଜଣ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର ।

135

କନକ ବ୍ୟୁରୋ: ପ୍ରକାଶ ପାଇଛି ଓଏଏସ୍ ରେଜଲ୍ଟ । ଅନେକ ଦିନର ପ୍ରତୀକ୍ଷା ପରେ ଓଡ଼ିଶା ପବ୍ଲିକ ସର୍ଭିସ କମିସନ୍ ପକ୍ଷରୁ ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୧୯ର ପରୀକ୍ଷା ଫଳ । ଗ୍ରୁପ ଏ ଓ ଗ୍ରୁପ ବି କାଟାଗୋରୀ ପାଇଁ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅଶ୍ୱିନୀ କୁମାର ପଣ୍ଡା । ଅଙ୍କୁର ଅଭିଲାଷ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ରଶ୍ମିରେଖା ପାତ୍ର । ମୋଟ ୫୬ ଜଣ ଝିଅ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ।

ଅନୁସୂଚିତ ଜନଜାତି ବର୍ଗରେ ୨୪ ଜଣ, ଅନୁସୂଚିତ ଜାତି ବର୍ଗରେ ୧୮ ଜଣ, ଭିନ୍ନକ୍ଷମ ବର୍ଗରେ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ୪୭ ହଜାର ୭୧୯ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ୨୫ ହଜାର ୭୮୦ ଜଣ ପ୍ରିିଲିମିନାରୀ ପରୀକ୍ଷା ଦେଇଥିଲେ । ମୋଟ ୧୮୮୦ ଜଣ ଲିଖିତ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ୧୬୧୦ ଲିଖିତ ପରୀକ୍ଷା ଦେଇଥିଲେ । ୩୦୭ ଜଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ୨୦୨୦ ମାର୍ଚ୍ଚ ୧୫ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ହୋଇଥିବା ବେଳେ କରୋନା ଯୋଗୁଁ ଅନ୍ୟ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଲିଖିତ ପରୀକ୍ଷା ହୋଇଥିଲା ୨୦୨୦ ଡିସେମ୍ବରରେ । ଶେଷରେ ଗତ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ କରାଯାଇଥିଲା ଇଣ୍ଟରଭ୍ୟୁ ବା ମୌଖିକ ପରୀକ୍ଷା ।