ରାମ ମନ୍ଦିର ନିର୍ମାଣ ପାଇଁ ମିଳିଥିବା ଚାନ୍ଦାରୁ ୧୫ ହଜାର ଚେକ୍ ବାଉନ୍ସ । ପୁଣିଥରେ ଚାନ୍ଦା ଦେବାକୁ ଅନୁରୋଧ କରିବ ବିଶ୍ୱହିନ୍ଦୁ ପରିଷଦ

841

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ଚାନ୍ଦା ଆକାରରେ ମିଳିଥିବା ଟଙ୍କାରୁ ପ୍ରାୟ ୨୨ କୋଟି ଟଙ୍କାର ୧୫ ହଜାର ଚେକ୍ ବାଉନ୍ସ ହୋଇଯାଇଛି । ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନ୍ୟାସ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତା’ର ଅଡିଟ୍ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି । ପ୍ରକାଶିତ ରିପୋର୍ଟ ମୁତାବକ କିଛି ଆକାଉଣ୍ଟରେ କମ ଟଙ୍କା ଥିବାରୁ ଚେକ୍ ବାଉନ୍ସ ହୋଇଥିବା ବେଳେ କିଛି ଚେକ୍ ଟେକ୍ନିକାଲ ଅସୁବିଧାରୁ ବାଉନ୍ସ ହୋଇଛି । କହିରଖୁ କି ଚଳିତବର୍ଷ ମକର ସଂକ୍ରାନ୍ତି ପରେ ରାମ ମନ୍ଦିର ପାଇଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରୁ ସାରାଦେଶରୁ କୋଟି କୋଟି ଟଙ୍କା ଦାନ ଆକାରରେ ମିଳିଛି ।

ନ୍ୟାସର ସଦସ୍ୟ ଡା. ଅନିଲ ମିଶ୍ରା କହିଛନ୍ତି କି , ଟେକନିକ୍ ରେ ଅସୁବିଧା କାରଣରୁ ବାଉନ୍ସ ହୋଇଥିବା ଚେକ୍ ର ସମାଧାନ ପାଇଁ ବ୍ୟାଙ୍କ ମାନେ ପ୍ରୟାସ ଆରମ୍ଭ କରିଛନ୍ତି । ଏନେଇ ଚେକ୍ ଦେଇଥିବା ଭକ୍ତ ମାନଙ୍କୁ ଆଉଥରେ ଚେକ୍ ଦେବାକୁ କୁହାଯାଇଛି । କହିରଖୁ କି ବାଉନ୍ସ ହୋଇଥିବା ଚେକ୍ ମଧ୍ୟରୁ ପାଖାପାଖି ୨ ହଜାର ଚେକ୍ କେବଳ ଅଯୋଧ୍ୟା ଅଞ୍ଚଳରୁ ମିଳିଥିଲା ।

ବିଶ୍ୱହିନ୍ଦୁ ପରିଷଦ ଜାନୁଆରୀ ୧୫ ରୁ ଫେବୃଆରୀ ୧୭ ତାରିଖ ମଧ୍ୟରେ ଚାନ୍ଦା ଯୋଗାଡ କରିବାକୁ ଦେଶସାରା ଏକ ଅଭିଯାନ ଆରମ୍ଭ କରି ଏହି ଚେକ୍ ସଂଗ୍ରହ କରିଥିଲା । ଏହି ଅଭିଯାନରେ ୫ ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିଲା । ହେଲେ ନ୍ୟାସ ଦ୍ୱାରା ଏପର୍ଯ୍ୟନ୍ତ ସଂଗୃହିତ ହୋଇଥିବା ରାଶିର ପ୍ରକୃତ ତଥ୍ୟ ପ୍ରକାଶ କରିନାହିଁ ।