ବାତ୍ୟାର ସଠିକ୍ ଆକଳନ କରେ ଆଇଏମଡି: ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ

102

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗକୁ ପୂରିଛି ଦେଢ ଶହ ବର୍ଷ । ୧୫୦ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ ଆରମ୍ଭ କରିଛି ଆଇଏମ୍ଡି । ପଂଚାୟତ ସ୍ତରରେ ପାଣିପାଗ ସୂଚନା ପ୍ରଦାନ କରିବାକୁ ଆରମ୍ଭ ହୋଇଛି, ହର ହର ମୌସମ, ହର ଘର ମୌସମ କାର୍ଯ୍ୟକ୍ରମ । ଏହା ଦ୍ୱାରା ଓଡ଼ିଆ ସମେତ ୧୨ଟି ଭାଷାରେ ପଂଚାୟତସ୍ତରରୁ ମିଳିବ ପାଣିପାଗର ପ୍ରାକ୍ ସୂଚନା ।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ତେଣୁ ପାଣିପାଗର ଆଗୁଆ ଆକଳନ ଓଡିଶା ପାଇଁ ସବୁବେଳେ ଜରୁରୀ । ଆଉ ବାତ୍ୟାର ଆଗୁଆ ଆକଳନ କରି, ଅନେକ ସମୟରେ ଓଡିଶା ପାଇଁ ବରଦାନ ପାଲଟିଛି ଭାରତୀୟ ପାଣିପାଗ ବିଭାଗ । ୨୦୧୯ର ଫନି ଏବଂ ୨୦୨୦ର ଅମ୍ଫାନ ଭଳି ବଡବଡ ବାତ୍ୟାକୁ ସଠିକ ଭାବେ ଆକଳନ କରି ଅନେକ ଧନ ଜୀବନ ରକ୍ଷା କରାଯାଇପାରିଛି ।

ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଜଣେ ଓଡ଼ିଆ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡି ଡିଜି ଭାବେ କାର୍ଯ୍ୟରତ । ତାଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ ଅନେକ ନୂଆ ନୂଆ ଗବେଷଣା ଜାରି ରଖିଛି । ପାଣିପାଗ ସଂପର୍କରେ ସଠିକ୍ ସୂଚନା ଦେବାରେ ଦେଶର ବିଶ୍ୱସନୀୟ ସଂସ୍ଥା ପାଲଟିଛି ଆଇଏମଡି । କେବେ ବାତ୍ୟା ଆସିବ, କେଉଁଠି ଲ୍ୟାଣ୍ଡଫଲ କରିବ, ବାତ୍ୟାର ଗତିପଥ କ’ଣ ରହିବ, ତାର ସଠିକ୍ ଆକଳନ କରି ଅନେକ ସମୟରେ ପ୍ରଶଂସା ସାଉଁଟିଛି ଆଇଏମ୍ଡି ।

ଆଇଏମଡିର ୧୫୦ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ ଆରମ୍ଭ ହୋଇଛି । ହର ହର ମୌସମ, ହର ଘର ମୌସମ ଆରମ୍ଭ କରିଛି ପାଣିପାଗ ବିଭାଗ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ଦ୍ୱାରା ଓଡ଼ିଆ ସମେତ ୧୨ଟି ଭାଷାରେ ପଂଚାୟତସ୍ତରରୁ ମିଳିବ ପାଣିପାଗର ପ୍ରାକ୍ ସୂଚନା । ପୂର୍ବରୁ ବ୍ଳକ ସ୍ତରରେ ପାଣିପାଗର ସୂଚନା ପ୍ରଦାନ କରାଯାଉଥିଲା ।

୧୮୭୫ରେ କୋଲକାତାରୁ ଭାରତୀୟ ପାଣିପାଗ କେନ୍ଦ୍ରର ଜନ୍ମ । କୋଲକାତା ପରେ ସିମ୍ଲା, ପୁନେ ଓ ପରେ ଦିଲ୍ଲୀରେ ଖୋଲିଛି ମୁଖ୍ୟାଳୟ । ସମୟ ଗଡ଼ିବା ସହ ଆଗକୁ ବଢ଼ଚାଲିଛି ଆଇଏମଡି । ୧୮୭୬ରୁ ପ୍ରତିଦିନ ତଥ୍ୟ ପଠାଇବା ଆରମ୍ଭ କରି ଆଜିର ଦିନରେ ସାରା ବିଶ୍ୱକୁ ପ୍ରତି ୧୦ ମିନିଟ୍ରେ ପାଣିପାଗର ଆଗୁଆ ତଥ୍ୟ ଦେଉଛି ଭାରତୀୟ ପାଣିପାଗ ବିଭାଗ । ବର୍ତମାନ ସମୟର ପାଣିପାଗରୁ, ଋତୁକାଳୀନ ପାଣିପାଗ । ସମୟ ସହ ଆଗେଇ ଚାଲିଛି । ମୋବାଇଲରୁ ୱେବସାଇଟ୍, ଏମିତି କି ସୋସିଆଲ୍ ମିଡ଼ିଆ, ପାରମ୍ପରିକ ମଧ୍ୟମରୁ ଅତ୍ୟାଧୁନିକ ମାଧ୍ୟମ ସବୁଠି ପହଂଚିପାରିଛି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିବା ପାଣିପାଗର ସୂଚନା ।