ଇଣ୍ଟରନେଟ ଯୁଗରେ ମଧ୍ୟ ବନ୍ଦ ହେବନି ଓଡ଼ିଶା ପୋଲିସର ପାରା ଡାକ ସେବା । ପ୍ରତିଶୃତି ଦେଲେ ସରକାର, ଜାଣନ୍ତୁ ବିଶ୍ୱର ଏକମାତ୍ର ପାରା ଡାକସେବା ବିଷୟରେ କିଛି ।

189

କନକ ବ୍ୟୁରୋ : ଇଣ୍ଟରନେଟ ଯୁଗରେ ଗୋଟିଏ ସେକେଣ୍ଡ ମଧ୍ୟରେ ବିଶ୍ୱର ଗୋଟିଏ କୋଣରୁ ଅନ୍ୟ ଏକ କୋଣକୁ ବେଶ ସହଜରେ ବାର୍ତ୍ତା ପହଞ୍ଚାଇ ଯାଇପାରୁଛି । ପୋଲିସ ଅଧିକାରୀଙ୍କୁ ମଧ୍ୟ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି । ଗୋଟିଏ ପଟେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବା ବେଳେ ଡାକସେବା ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି । କିନ୍ତୁ ଏଭଳିସ୍ଥଳେ ମଧ୍ୟ ବଞ୍ଚି ରହିଛି ଓଡ଼ିଶା ପୋଲିସ ବିଭାଗର ପାରା ଡାକ ସେବା । ଆଧୁନିକ ବିଶ୍ୱରେ ଓଡ଼ିଶା ପୋଲିସ ହେଉଛି ଏକମାତ୍ର ସଂସ୍ଥା ଯେଉଁଠି ଏପର୍ଯ୍ୟନ୍ତ ମଧ୍ୟ ପାରା ଡାକ ବ୍ୟବସ୍ଥା ଜାରି ରହିଛି । ଏବେ ମଧ୍ୟ ପାରା ମାଧ୍ୟମରେ ବିଭିନ୍ନ ସ୍ଥାନକୁ ବାର୍ତ୍ତା ପଠାଉଛି ପୋଲିସ । ତେବେ ରାଜ୍ୟ ପୋଲିସ ବିଭାଗର ପୁରାତନ ଯୋଗାଯୋଗ ବ୍ୟବସ୍ଥା ପାରା ଡାକ ସେବା କାର୍ଯ୍ୟରେ ଅଦ୍ୟାବଧି କେତେ ପାରା ନିୟୋଜିତ ଅଛନ୍ତି ଓ ଏହି ସେବାକୁ ଅତୁଟ ରଖିବାକୁ ସରକାର କଣ ପ୍ରୟାସ କରୁଛନ୍ତି ସେନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଧାୟକ ପ୍ରଶାନ୍ତ ବେହେରା ।

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ରାଜ୍ୟରେ ପୋଲିସ ବିଭାଗର ପୁରାତନ ଯୋଗାଯୋଗ ବ୍ୟବସ୍ଥା ପାରା ଡାକ ସେବା କାର୍ଯ୍ୟରେ ଅଦ୍ୟାବଧି ୧୫୦ ଗୋଟି ପାରା ନିୟୋଜିତ ଅଛନ୍ତି ଓ ଏହି ସେବାକୁ ଅତୁଟ ରଖିବାକୁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେ ପ ନିଆଯାଉଛି ।

ଓଡ଼ିଶା ପୋଲିସ ବାର୍ତ୍ତା ପଠାଇବା ପାଇଁ ୧୯୪୬ରେ ପ୍ରଥମେ ପାରା ଡାକ ସେବା ଆରମ୍ଭ ହୋଇଥିଲା । ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗର ସେଭଳି ସୁବିଧା ନଥିବା ବେଳେ ପାରା ଡାକ ସେବା ଯୋଗେ ବାର୍ତ୍ତା ପହଞ୍ଚାଯାଉଥିଲା । ଏପରିକି ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମଧ୍ୟ କଟକରୁ ସମ୍ବଲପୁର ତାଲିମପ୍ରାପ୍ତ ପାରାଙ୍କ ସାହାର୍ଯ୍ୟରେ ବାର୍ତ୍ତା ପଠାଇଥିଲେ । ପାରା ଗୁଡିକ ମାତ୍ର ୬ ସପ୍ତାହର ହୋଇଥିବା ବେଳେ ଏମାନଙ୍କୁ ତାଲିମ ଦିଆଯାଇଥାଏ । ବିଭିନ୍ନ ରୁଟର ତାଲିମ ଦିଆଯିବା ପରେ ଏମାନଙ୍କୁ ବାର୍ତ୍ତାବହ ଭାବରେ ବ୍ୟବହାର କରାଯାଏ । ବେଲଜିଆନ ହୋମର ପ୍ରଜାତିର ପାରା ମାତ୍ର ୧୫ରୁ ୨୫ ମିନିଟ୍ ମଧ୍ୟରେ ୨୫ କିଲୋମିଟର ଉଡିପାରିବେ । ଏପରିକି ପାଗ ଭଲ ରହିଲେ ଏହି ପାରା ମାନେ ଘଣ୍ଟା ପ୍ରତି ୫୫ କିଲୋମିଟର ବେଗରେ ୫୦୦ ମାଇଲ ପର୍ଯ୍ୟନ୍ତ ଉଡିପାରିବେ ।

ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ପାରା ମାନେ ପୋଲିସ ବିଭାଗ ପାଇଁ ବେଶ ସହାୟକ ହୋଇଥାନ୍ତି । ଖାସକରି ୧୯୯୯ ମସିହା ବାତ୍ୟାରେ ଏହି ତାଲିମପ୍ରାପ୍ତ ପାରା ମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବାର୍ତ୍ତା ପହଞ୍ଚାଇବାକୁ ପୋଲିସ ପାଇଁ ବେଶ ସହାୟକ ସାବ୍ୟସ୍ତ ହୋଇଥିଲେ । କିନ୍ତୁ ଇଣ୍ଟରନେଟର ବହୁଳ ବ୍ୟବହାର କାରଣରୁ ଧୀରେ ଧୀରେ ଏହି ପାରା ଏବେ ଅଲୋଡା ପାଲଟିଗଲେଣି । କିନ୍ତୁ ରାଜ୍ୟ ପୋଲିସ ଏବେ ମଧ୍ୟ ଏହି ପାରାଙ୍କୁ ତାଲିମ ଦେବା ସହ ବାର୍ତ୍ତାବହ କାର୍ଯ୍ୟରେ ନିୟୋଜିତ କରିଛି ।