କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ପାଇଁ କାମ ଦେବନି ୧୫୦ଦିନିଆ ବିହନ । ରାଜ୍ୟରେ ନିଅଣ୍ଟିଆ ବର୍ଷା ବେଳେ କୃଷି ବିଜ୍ଞାନୀ ଏପରି ମତ ଦେଇଛନ୍ତି । ଜୁଲାଇ ୧୫ତାରିଖ ସୁଦ୍ଧା ବଡ଼ ବର୍ଷାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୨.୪ ମିଲିମିଟର ବର୍ଷା ହୋଇଛି । ୬୧ଲକ୍ଷ ହେକ୍ଟର ଚାଷ ଜମିରୁ ମାତ୍ର ୬ଲକ୍ଷ ୭୨ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଛି । ଯେଉଁ ସ୍ଥାନରେ ଚାଷ କାମ ହୋଇପାରିନାହିଁ ସେଠାର ଏଣିିକି ଆଉ ୧୫୦ଦିନିଆ ଦୀର୍ଘ ଅବଧି ବିହନ କାମ କରିବ ନାହିଁ ବୋଲି କୃଷି ବିଜ୍ଞାନୀ କହିଛନ୍ତି । ଏଭଳି ସ୍ଥିତିରେ ଉତ୍ପାଦନ ଭୟଙ୍କର ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି ।

Advertisment

ସୂଚନା ଅନୁସାରେ ଚାଷ ପାଇଁ ୬୦ଦିନିଆ, ୭୭ରୁ ୯୦ କିମ୍ବା ଶହେ ଦିନିଆ, ୧୨୦ରୁ ୧୪୦ଦିନର ମଧ୍ୟମ କିସମ, ୧୫୦ରୁ ଅଧିକ ଦୀର୍ଘ ଅବଧି ବିହନ ରହିଛି । ୧୪୦ରୁ ୧୫୦ଦିନିଆ ଦୀର୍ଘ ଅବଧି ବିହନରେ ଅଧିକ ଉତ୍ପାଦନ ଦେଉଥିବାରୁ ବିହନ ନିଗମ ପକ୍ଷରୁ ଏହି ବିହନ ବିତରଣ କରାଯାଏ ଏବଂ ଅଧିକାଂଶ ସ୍ଥାନରେ ୧୫୦ଦିନିଆ ବିହନ ଚାଷ କରାଯାଏ । କିନ୍ତୁ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ହେଲାଣି ବିହନର ଭୂମିକା ଗୌଣ ହୋଇସାରିଥିବା କୃଷି ବିଜ୍ଞାନୀ ମତ ଦେଇଛନ୍ତି ।