କନକ ବ୍ୟୁରୋ: ପଞ୍ଜାବରେ ସଫଳତା ପରେ ଗୁଜୁରାଟ ଉପରେ ନଜର ପକାଇଛି ଆମ୍ ଆଦମୀ ପାର୍ଟି । ପାର୍ଟିର ମୁଖିିଆ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିକଟରେ ଗୁଜୁରାଟ ଯାଇ ବଡ ଧରଣର ଶୋଭାଯାତ୍ରା କରିଥିଲେ । ହେଲେ ସେଠାରୁ ଫେରିବା ପରେ ପରିସ୍ଥିତି ପୁରା ଓଲଟପାଲଟ ହୋଇଛି । ଆପକୁ ଲାଗିଛି ଶକ୍ତ ଝଟକା ।
ଦଳର ୧୫୦ ଜଣ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କେବଳ ଆପ ନୁହେଁ ବରଂ ଏହି ସମୟ ମଧ୍ୟରେ କଂଗ୍ରେସ ମଧ୍ୟ ଅନେକ କ୍ଷତି ସହିଛି । ଦଳର ଅନେକ ସଦସ୍ୟ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଗୁଜୁରାଟ ଗସ୍ତ ସାରି ଫେରୁଫେରୁ ଏତେ ସଂଖ୍ୟକ ଆପ ନେତା ନିଜ ଦଳ ବଦଳାଇଦେଇଛନ୍ତି । ଏହାକୁ ନେଇ ଗୁଜୁରାଟ ବିଜେପିର ସାଧାରଣ ସମ୍ପାଦକ ପ୍ରଦୀପ ସିଂହ ବାଘେଲା କହିଛନ୍ତଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଘରେ ନପହଞ୍ଚଣୁ ତାଙ୍କ ଦଳର ଅନେକ ସଦସ୍ୟ ବିଜେପିରେ ମିଶିଛନ୍ତି ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ସେମାନେ ଗୁଜୁରାଟର ଲୋକଙ୍କୁ ବୋକା ବନାଇପାରିବେ ନାହିଁ । ତାଙ୍କର ଗୁଜୁରାଟ ଗସ୍ତର କୌଣସି ଅର୍ଥ ନାହିଁ । ଗୁଜୁରାଟବାସୀଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି । ତେଣୁ ଏଠି ଆପ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେବନି ବୋଲି ଚର୍ଚ୍ଚା ହେଉଛି ।