ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଓର ରେହମାନ ଲକଭିକୁ ୧୫ ବର୍ଷ ଜେଲ । ଲାହୋରର ଏକ ଅଦାଲତ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲାରେ ବିଚାର କରି ଏହି ଦଣ୍ଡ ଶୁଣାଇଛନ୍ତି

89

କନକ ବ୍ୟୁରୋ : ଲସ୍କର ଏ-ତୋଇବାର ଅପରେଶନ ମୁଖ୍ୟ ତଥା ଆତଙ୍କବାଦୀ ଜକିଓର ରେହମାନ ଲକଭିକୁ ପାକିସ୍ତାନର ଲାହୋରର ଏକ ଅଦାଲତ ୧୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀ ସଂଗଠନକୁ ଅର୍ଥ ଯୋଗାଣ ମାମଲାରେ ଶୁଣାଣି କରି କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି । କହିରଖୁ କି ଏହା ପୂର୍ବରୁ ବି ସମାନ ଅଭିଯୋଗରେ ଲକଭି ଗିରଫ୍ ହୋଇଥିଲେ । ଆଜି (ଶୁକ୍ରବାର) ଏହି ମାମଲାର ଶୁଣାଣି କରି ଲାହୋରର ଆତଙ୍କବାଦ ନିରୋଧ କୋର୍ଟ ଲାଖଭିଙ୍କ ବିରୋଧରେ ଏହି ଦଣ୍ଢାଦେଶ ଶୁଣାଇଛନ୍ତି । କହିରଖୁ କି ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଲାଖଭି ।

ଲାହୋରରେ ଜକିଓର ରେହମାନ ଲକଭି ନାମରେ ଆତଙ୍କବାଦୀ ସଂଗଠନ ମାନଙ୍କୁ ଟଙ୍କା ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା । ଜକିଓର ରେହମାନ ଲକଭି ଏକ ଦାତବ୍ୟ ଚିକିତ୍ସାଳୟ ନାମରେ ପାଣ୍ଠି ସଂଗ୍ରହ କରି ଆତଙ୍କୀ ସଂଗଠନ ମାନଙ୍କୁ ଦେଉଥିବା ଅଭିଯୋଗ ହୋଇଥିଲା । ମୁଖ୍ୟତ ନୂଆ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବାକୁ ସେ ଅର୍ଥ ଯୋଗାଉଥିଲେ । ଏହା ପୂର୍ବରୁ ଜକିଓର ରେହମାନ ଲକଭିକୁ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ହେଲେ ସେ ଦୀର୍ଘଦିନ ଧରି ଗିରଫଦାରୀରୁ ବଞ୍ଚିବାକୁ ଲୁଚି ରହିଥିଲେ । ହେଲେ କିଛିିଦିନ ପୂର୍ବରୁ ପାକିସ୍ତାନ ସରକାର ଜକିଓର ରେହମାନ ଲକଭିକୁ ଗିରଫ୍ କରି ଜେଲରେ ରଖିଥିଲେ ।

ମୁମ୍ବାଇ ଆକ୍ରମଣ ଘଟଣାରେ ହାଫିଜ୍ ସଇଦ ସହ ଜକିଓର ରେହମାନ ଲକଭି ବି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ଘଟଣାରେ ବି ତାଙ୍କୁ ଜେଲ ହୋଇଥିଲା । ମାତ୍ର ୨୦୧୫ ରେ ସେ ଜାମିନ ପାଇ ବାହାରକୁ ବାହାରି ଆସିଥିଲେ । କହିରଖୁ କି ଜାନୁଆରୀ- ଫେବୃଆରୀ ମାସରେ ଫାଇନାନସିଆଲ ଏକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ୍) ର ବୈଠକ ବସିବ । ଏହି ସଂସ୍ଥା ଦେଶର ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ପାଇଁ ସହାୟତା ପ୍ରଦାନ କରିଥାଏ ।