କନକ ବ୍ୟୁରୋ : ଭାଇଙ୍କ ମା’ ସାଜିଛି ଭଉଣୀ । ନିଜେ ଉପାସ ରହି ଭାଇଙ୍କ ମୁହଁରେ ଦାନା ଦେଉଛି ଭଉଣୀ । ଦିବ୍ୟାଙ୍ଗ ଭାଇଙ୍କୁ ଦମ୍ଭ ଦେଉଛି ବଡ଼ ଭଉଣୀ । ନିଜ ପିଲା ଭଳି ଲାଳନପାଳନ କରୁଛନ୍ତି । ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଗାଁର କୈଳାଶ ମାଝୀଙ୍କ ଝିଅ ମନିଷା । ଭାଇଙ୍କ ଶୁଭ ମନାସି ରାକ୍ଷୀ ବାନ୍ଧିଛନ୍ତି, ହେଲେ ଏଠି ଭାଇ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇ ନାହାନ୍ତି , ବରଂ ଦିବ୍ୟାଙ୍ଗ ଦୁଇ ଭାଇଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ଭଉଣୀ ମନୀଷା ।

Advertisment

ଭାଇ-ଭଉଣୀ ତିନି ଜଣଙ୍କୁ ବାପାଙ୍କ ପାଖରେ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ମା’ । ବାପା ପର ଘରେ ମୂଲ ଲାଗିଲେ ଘରେ ଚୁଲି ଜଳେ । ଏଭଳି ସ୍ଥିତିରେ ନିଜର ସ୍ୱପ୍ନକୁ ସମାଧି ଦେଇ ଦୁଇ ଦିବ୍ୟାଙ୍ଗ ଭାଇଙ୍କ ସେବାଶୁଶ୍ରୁସା କରିବାରେ ଲାଗି ପଡିଛି ୧୫ ବର୍ଷୀୟ ମନିଷା ମାଝୀ । ଅନ୍ୟ ଝିଅଙ୍କ ଭଳି ଅଧିକ ପାଠ ପଢିବାକୁ ଇଛା ଥିଲେ ବି ସପ୍ତମରୁ ପାଠ ଛାଡି ଦିବ୍ୟାଙ୍ଗ ଭାଇ ମନୋଜ ଓ ଦୁଷ୍ମନ୍ତଙ୍କ ପାଇଁ ମାଆ ପାଲଟିଯାଇଛନ୍ତି ଘରର ବଡ ଝିଅ ।

ଘରେ ରୋଷେଇ ସାଙ୍ଗକୁ ଦିବ୍ୟାଙ୍ଗ ଭାଇଙ୍କ ଗାଧୁଆ ପାଧୁଆ, ଡ୍ରେସ ପିନ୍ଧା ଭଳି ସବୁ ପ୍ରକାର ଯତ୍ନନେବା ସହ ଅଳି କଲେ ବୁଝାଇ ଦିଅନ୍ତି ମନୀଷା । ବାପା କୈଳାଶ କାମ ଧନ୍ଧା ପାଇଁ ଗଲେ ଚାରି କାନ୍ଥ ଭିତରେ ଦୁଇ ଭାଇ ହିଁ ତାଙ୍କ ସଂସାର । ଏହି ତିନି ସନ୍ତାନଙ୍କ ନିଆରା ପ୍ରେମକୁ ଦେଖି ପଡୋଷୀ ମଧ୍ୟ ମନୀଷାଙ୍କୁ ପ୍ରଶଂସା କରନ୍ତି ।