ଆଉ ରାସ୍ତାରେ ଗଡ଼ି ପାରିବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ? ଗୋଟିଏ ଝଟକାରେ ରାଜ୍ୟ ରାଜରାସ୍ତାରୁ ହଟି ଯାଇପାରେ ୨୩ ଲକ୍ଷ ଗାଡ଼ି ।

5,771

କନକ ବ୍ୟୁରୋ : ଓଡ଼ିଶାରେ ଚାଲିଛି ପ୍ରାୟ ୨୩ ଲକ୍ଷ ପୁରୁଣା ଗାଡ଼ି । ଏହି ସବୁ ଗାଡ଼ି ୧୫ବର୍ଷରୁ ଅଧିକ ସମୟ ଧରି ରାସ୍ତାରେ ଗଡ଼ୁଛି । ତେବେ ଏହି ସବୁ ଗାଡ଼ି ଆଉ ରାସ୍ତାରେ ଚାଲିବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି । ଯଦି ନୂଆ ନିୟମକୁ ପୂର୍ଣ୍ଣ ଭାଗରେ ଲାଗୁ କରାଯାଏ, ତେବେ ରାଜ୍ୟରେ ଅକାମୀ ହୋଇଯିବ ପ୍ରାୟ ୨୩ ଲକ୍ଷ ଗାଡ଼ି । କିନ୍ତୁ ଏହାକୁ ପ୍ରଣୟନ କରାଯିବ କି ନାହିଁ ତାକୁ ନେଇ ସରକାରୀ ସ୍ତରରେ ଚାଲିଛି ବିଚାର ବିମର୍ଶ ।

ରାଜ୍ୟରୁ ଉଭାନ ହୋଇଯିବ ୨୩ ଲକ୍ଷ ଗାଡି ! କେନ୍ଦ୍ର ସରକାର ଚାହିଁଲେ ଗଡିବନି ପୁରୁଣା ଗାଡି । ରାସ୍ତାରେ ଗଡିପାରିବନି ପୁରୁଣା ଗାଡି । ୧୫ ବର୍ଷରୁ ଅଧିକ ସମୟ ବ୍ୟବାହାର କରାଯାଇଥିବା ଗାଡିକୁ କରିହେବନି ପୁନପଂଜିକରଣ । ସେପ୍ଟମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ଅନୁସାରେ ଏପରି କିଛି ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରଣୟନ କରାଯିବ କି ନାହିଁ ଏହାକୁ ନେଇ ସରକାରୀ ସ୍ତରରେ ଚାଲିଛି ବିଚାର ବିମର୍ଶ । ରାଜ୍ୟ ସରକାର ଗୃହରେ ଦେଇଥିବା ତଥ୍ୟ ଅନୁସାରେ ୨୨ ଲକ୍ଷ ୯ ହଜାର ୫୭୩ଟି ୧୫ବର୍ଷରୁ ଉ୍ଦ୍ଧ୍ୱ ମୋଟରଯାନ ଅଛି । ସେଥି ମଧ୍ୟରୁ ୧୧ ଲକ୍ଷ ୪୩ ହଜାର, ୨୬ଟି ରାଜ୍ୟରେ ଚଳାଚଳ କରୁଛି ।

ଅନ୍ୟପଟେ ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ ୨୦୧୯କୁ ସରକାର କଡାକଡି ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ଦୁର୍ଘଟଣାଜନିତ ମୃତ୍ୟୁର ପରିସଂଖ୍ୟାନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ରାଜ୍ୟରେ ବର୍ଷକୁ ବର୍ଷ ବଢିବାରେ ଲାଗିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ।

୨୦୧୬ରେ ୧୦ ହଜାର ୫୩୨ ଦୁର୍ଘଟଣା ଘଟିଛି, ସେଥିମଧ୍ୟରୁ ୪ ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଛି ।
୨୦୧୭ରେ ୧୦ ହଜାର ୮୫୫ ଦୁର୍ଘଟଣା ଘଟିଛି, ସେଥିମଧ୍ୟରୁ ୪ହଜାର ୭୯୦ ଲୋକଙ୍କ ମୃତ୍ୟୁ ହୋଇଛି ।
ସେହିପରି ୨୦୧୮ରେ ୧୧ ହଜାର ୨୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି ।

୨୦୧୯ରେ ୮ହଜାର ୨୦୩ଟି ଦୁର୍ଘଟଣା ଘଟିଛି, ସେଥିରୁ ୪ ହଜାର ୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଉଦବେଗଜନିତ ସଡକ ଦୁର୍ଘଟଣାକୁ ନେଇ ସରକାରଙ୍କ ଭିତିଭୂମିର ଅଭାବ ରହିଛି ବୋଲି ବିରୋଧୀ କହିଛନ୍ତି । ରାଜ୍ୟରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ଫଳରେ ଜନଅସନ୍ତୋଷ ଦେଖାଦେଇଥିଲା । ପରେ ମୁଖ୍ୟମନ୍ତ୍ରୀ ନିୟମକୁ ଟିକେ କୋହଳ ପାଇଁ ୩ ମାସ ବୃଦ୍ଧି କରିଥିଲେ ।