ମାରିଦେଲା ଟିକ୍‌ଟକ୍‌ । ଜଗତସିଂହପୁରରେ ଟିକ୍‌ଟକ୍‌ କଲାବେଳେ ନଦୀରେ ଭାସିଗଲେ ୪ ଜଣ, ୧୫ ବର୍ଷୀୟ ଝିଅ ମୃତ ।

3,175

କନକ ବ୍ୟୁରୋ : ଟିକଟକ୍ କରିବା ହେଲା କାଳ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳରୁ ଆସିଛି ଏଭଳି ଏକ ଖବର । ସ୍ଥାନୀୟ ଦେବୀ ନଦୀ କୂଳରେ ଟିକଟକ୍ କରୁଥିବା ବେଳେ ଅଘଟଣ ଘଟିଛି । ନଦୀର ପ୍ରଖର ସୁଅରେ ଭାସିଯିବାରୁ ଜଣେ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ । ସେମାନଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବାଲିକୁଦା ବ୍ଲକ ଦେବୀ ନଦୀ ନିକଟରେ ଟିକଟକ କରୁଥିବା ବେଳେ ଆଜି ୪ ଜଣ ପୁଅ-ଝିଅ ଭାସିଯାଇଥିଲେ। ଏଥିରେ ପୂଜାରାଣୀ ନାୟକ (୧୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ନୀଲମ ସ୍ୱାଇଁ (୧୫), ଅନୁରାଧା ପରିଡ଼ା (୧୫) ଓ ଅମରେଶ ପରିଡ଼ା (୧୩)ଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ରାଇବରେଇ ଗାଁର ନିତ୍ୟାନନ୍ଦ ନାୟକଙ୍କ ଝିଅ ପୂଜାରାଣୀ ନାୟକ, ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ପଂଚାୟତ ମଙ୍ଗପୁର ନିକଟ ଦେବୀ ନଦୀ ଘାଟକୁ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲ । ସାଥୀରେ ଓଷକଣା ଗାଁର ଅବିନାଶ ସ୍ୱାଇଁଙ୍କ ଝିଅ ନୀଲମ ସ୍ୱାଇଁ, କାଳିଓ ପଂଚାୟତ ଅନ୍ତର୍ଗତ ଦେପଡ଼ା ଗାଁର ଅମରେଶ ପରିଡ଼ା ଏବଂ ତାର ଭଉଣୀ ଅନୁରାଧା ପରିଡ଼ା ଥିଲେ । ଏମାନେ ସମସ୍ତେ ମାମୁଁ ଘରକୁ ଆସିଥିଲେ ।

ଚାରି ଜଣ ସାଙ୍ଗ ହୋଇ ଆଜି ଅପରାହ୍ନରେ ନଦୀ କୂଳକୁ ଯାଇଥିଲେ । ସେଠାରେ ସେମାନେ ଟିକ୍‌ଟକ୍‌ ପ୍ରସ୍ତୁତ କରୁଥିଲେ । କିନ୍ତୁ ଦେବୀ ନଦୀର ପାଣି ଫୁଲି ଥିବାରୁ ପୂଜାରାଣୀ ଅସାବଧାନବଶତଃ ଖସି ପଡ଼ିଥଲା । ନଦୀରେ ଭାସିଯାଉଥିବା ସମୟରେ ଗାଁର ପହଲି ସ୍ୱାଇଁ ନାମକ ଜଣେ ଚାଷୀ ପ୍ରଥମେ ଘଟଣା ଦେଖିବା ପରେ ସେ ହଠାତ୍‌ ଦୌଡ଼ିଯାଇଥିଲେ । ଅଳ୍ପ ସମୟ ମଧ୍ୟରେ ସେ ଗାଁର ଅନ୍ୟମାନଙ୍କର ସହାୟତାରେ ୪ ଜଣଙ୍କୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ପୂଜାରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ନୀଲମ ସ୍ୱାଇଁକୁ ସେଠାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ଦୁଇ ଭାଇଭଉଣୀ ଅମରେଶ ଓ ଅନୁରାଧାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଅପରାହ୍ନରେ କେନ୍ଦ୍ରାପଡ଼ାର ୫ରୁ ଅଧିକ ଯୁବକ ମୋଟର ସାଇକେଲରେ ଆସି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାହିଆଡିଆ ବ୍ରାହ୍ମଣୀ ପୋଲକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଏହି ଯୁବକମାନେ ପୋଲ ତଳେ ନଈରେ ପଶି ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରୁଥିଲେ । କିନ୍ତୁ ନଦୀରୁ ଜେସିବି ମେସିନରେ ବାଲି ଉଠାଯାଇଥିବାରୁ ସେଠାରେ ଗଭୀର ଥିଲା । ଯୁବକମାନଙ୍କ ମଧ୍ୟରୁ ଜଣେ ଖାଲରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।