କନକ ବ୍ୟୁରୋ: ବାହାହେବାକୁ କହି ମହିଳାଙ୍କୁ ଠକୁଥିଲା, ଲୁଟୁଥିଲା କୋଟି କୋଟି ଟଙ୍କା । ଏଭଳି ଏକ ଘଟଣା ମୈସୁର ପୁଲିସକୁ ଜଣାପଡିବା ପରେ ଗିରଫ ହୋଇଛି ରସିକିଆ ଯୁବକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ବ୍ୟକ୍ତି ଏଯାଏଁ ୧୫ମହିଳାଙ୍କୁ ବିବାହ କରିସାରିଛନ୍ତି । ସେମାନଙ୍କଠାରୁ ଲୁଟିଛି ୩କୋଟିରୁ ଅଧିକ ଟଙ୍କା, ଏତିକିରେ କଥା ସରୁନି । ମାଟ୍ରିମୋନିଆଲ ସାଇଟରେ ଆହୁରି ୯ ଜଣ ଯୁବତୀଙ୍କ ସହ ସମ୍ପର୍କରେ ଥିଲା । ଖୁବ ଶୀଘ୍ର ଏମାନଙ୍କ ସହ ମଧ୍ୟ ବିବାହ କରିବାର ଯୋଜନା ରଖିଥିଲା ଯୁବକ । ହେଲେ ଏହା ପୁର୍ବରୁ ଧରିଲା ପୁଲିସ ।

Advertisment

ଅଭିଯୁକ୍ତ ଯୁବକର ନାଁ ହେଉଛି କେବି ନାୟକ । ସବୁଠାରୁ ଆଶ୍ଚର୍ଯ୍ୟକର କଥା କଥା ହେଉଛି ସେ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ‘ଗତ ୧୦ ବର୍ଷ ଧରି ଅଭିଯୁକ୍ତ ଯୁବକ ମ୍ୟାଟ୍ରିମୋନିଆଲ ୱେବସାଇଟରେ ମହିଳାଙ୍କୁ ନିଜର ବିଭିନ୍ନ ପରିଚୟ ଦେଇ ବିବାହ କରିବାକୁ ମନାଉଥିଲା । ନିଜକୁ କେତେବେଳେ ଜଣେ ସଫ୍ଟୱେର ଇଞ୍ଜିନିୟର ତ କେତେବେଳେ ଜଣେ ଡାକ୍ତର ତ ଆଉ କେତେବେଳେ ଜଣେ ବ୍ୟବସାୟୀର ପରିଚୟ ଦେଉଥିଲା କେବି ନାୟକ । ପ୍ରଥମ ୩ ଜଣ ପତ୍ନୀଙ୍କ ଠାରୁ ତାର ୫ ସନ୍ତାନ ଅଛନ୍ତି । ଏହି ୩ ପତ୍ନୀଙ୍କ ଠାରୁ ସେ ପାଖାପାଖି ୩ କୋଟିରୁ ଅଧିକ ଟଙ୍କା ଠକିନେଇଛି ।

ଏହି ଠକ ବିରୋଧରେ ମାମଲା ଦାଏର ହେବା ପରେ ମୈସୁର ପୁଲିସ ତାକୁ ଗିରଫ କରିଛି । ଯୁବକ ବିରୋଧରେ ମାମଲା ଦାଏର କରିଥିଲେ ଜଣେ ୪୫ ବର୍ଷୀୟା ସଫ୍ଟୱେର ଇଞ୍ଜିନିୟର । ତାଙ୍କ ସହ ଯୁବକର ବିବାହ ୨୦୨୨ ଅଗଷ୍ଟ ୨୨ ତାରିଖରେ ହୋଇଥିଲା । ଏହି ସମୟରେ କେବି ନାୟକ ନିଜକୁ ମୈସୁରର ଜଣେ ଫିଜିଓଥିରାପିଷ୍ଟ ବୋଲି ପରିଚୟ ଦେଇଥିଲା । ସେଠାରେ ସେ ମହିଳାଙ୍କୁ ଏକ ଭଡା ଘରେ ରଖିଥିଲେ ବି ଏହାକୁ ନିଜ ଘର ବୋଲି କହିଥିଲା ।

ମହିଳାଙ୍କ ଅଭିଯୋଗ ମୁତାବକ, ବିବାହ ପରେ ଦୁହେଁ ବାହାରକୁ ବୁଲିବାକୁ ଯାଇଥିଲେ ବି ଦୁଇ ଦିନ ପରେ ଫେରିଆସିଥିଲେ । ଦୁଇଦିନ ପାଇଁ ବାହାରକୁ ଯିବାକୁ କହିବା ସହ କ୍ଲିନିକ ଖୋଲିବାକୁ ମହିଳାଙ୍କୁ ୭୦ ଲକ୍ଷ ଟଙ୍କା ମାଗିଥିଲେ । ଏହାକୁ ନେଇ ଦୁହିଁଙ୍କ ଭିତରେ କଥା କଟାକଟି ହେବା ପରେ ମହିଳାଙ୍କୁ ଧମକ ଦେଇଥିଲେ ।