୧୫ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ ଡାକରା : ୨୭ରୁ ୮ ଜିଲ୍ଲାରେ ପରିବହନ ଠପ୍

585

କନକ ବ୍ୟୁରୋ : ଲଘୁ ଖଣିଜ ସମ୍ପଦର ସଦବିନ‌ିଯୋଗ ଓ ପରିବହନ ପାଇଁ ସରକାର ଅନେକ ନୀତିନିୟମ ଓ ‌ଆଇନ୍ ପ୍ରଣୟନ କରିଛନ୍ତି । ମାତ୍ର ସେଥିରେ ଥିବା ବ୍ୟାପକ ତ୍ରୁଟି ପାଇଁ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଲଘୁ ଖଣିଜ ସମ୍ପଦର ଚୋରା କାରବାର ରୋକିବା ପାଇଁ ରାସ୍ତାଘାଟରେ ଗାଡ଼ି ଅଟକାଇ ପ୍ରଶାସନ ପକ୍ଷରୁ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହାର ପ୍ରତିବାଦରେ ପୂର୍ବ ଉପକୂଳ ୮ଟି ଜିଲ୍ଲାର ଲଘୁ ଖଣିଜ ସମ୍ପଦ ପରିବହନ କରୁଥିବା ୧୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ରାଜ୍ୟ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଆସନ୍ତା ୨୭ତାରିଖ ଠାରୁ ପୁରୀରୁ ଆରମ୍ଭ କରି ବାଲେଶ୍ୱର ପର୍ଯ୍ୟନ୍ତ ସମସ୍ତ ପୂର୍ବ ଉପକୂଳ ଜିଲ୍ଲାଗୁଡ଼ିକରେ ଲଘୁ ଖଣିଜ ସମ୍ପଦ ପରିବହନ ବନ୍ଦ କରାଯିବ ବୋଲି ସ୍ଥିର ହୋଇଛି । ଆଜି ଚଣ୍ଡିଖୋଲ ଠାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମୋଟ ୧୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ୮ଜିଲ୍ଲାର ଟ୍ରକ୍‌ ମାଲିକ ସଂଘକୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ପୂର୍ବ ଉପକୂଳବର୍ତ୍ତୀ ୮ଟି ଜିଲ୍ଲାର ପ୍ରାୟ ୨୦ ହଜାର ଗାଡ଼ି ଲଘୁ ଖଣିଜ କାରବାରରେ ନିୟୋଜିତ ଅଛନ୍ତି । ଏହି କାରବାର ପାଇଁ କ୍ରସର ଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାମ ମଧ୍ୟ ନିୟନ୍ତ୍ରିତ ହେଉଛି । ଲଘୁ ଖଣିଜ ସମ୍ପଦ ପରିବହନ ବନ୍ଦ ହୋଇଗଲେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସଂଘ କର୍ମକର୍ତ୍ତାମାନେ ଦାବି କରିଛନ୍ତି ।