କନକ ବ୍ୟୁରୋ: ଭାରତୀୟ ନୌସେନାର ଅନ୍ୟୂନ ୨୧ଜଣ କର୍ମଚାରୀ କରୋନାଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଶୁକ୍ରବାର ଦିନ ପରୀକ୍ଷାରୁ ଜଣାପଡ଼ିଛି। ‘ଆଇଏନ୍‌ଏସ୍‌ ଆଙ୍ଗ୍ରେ’ର ଏହି କର୍ମଚାରୀମାନଙ୍କୁ ମୁମ୍ବାଇର କୋଲାବ ଠାରେ ଥିବା ନୌସେନା ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍‌ ଅଶ୍ବିନୀରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ନୌସେନା କର୍ମଚାରୀମାନେ ‘ଆଇଏନ୍‌ଏସ୍‌ ଆଙ୍ଗ୍ରେ’ର ଆବାସିକ ସ୍ଥଳରେ ବସବାସ କରୁଥିଲେ। ‘ୱେଷ୍ଟର୍ଣ୍ଣ ନେଭାଲ୍ କମାଣ୍ଡ୍‌’ର ବିଭିନ୍ନ ଅଭିଯାନ ନିମନ୍ତେ ସମୁଦ୍ରକୂଳରେ ଥିବା ଏହି ଆବାସିକ ସ୍ଥଳ ଗୋଦାମ ଭାବେ କାର୍ଯ୍ୟ କରେ ଓ ପ୍ରଶାସନିକ ଦାୟିତ୍ବ ମଧ୍ୟ ତୁଲାଏ।

Advertisment

ଲକ୍‌ଡାଉନ୍ ସମୟରେ ନୌସେନାର ଏହି କର୍ମଚାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ପାଇଁ ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା କିଂବା ସହର ମଧ୍ୟକୁ ଯାଇ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏହି କର୍ମଚାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ବାହାର କରିବାକୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି। ଏହା ନୌସେନାରେ କୋଭିଡ୍-୧୯ ସଂକ୍ରମଣଜନିତ ପ୍ରଥମ ଖବର ହୋଇଥିଲେ ବି ଭାରତୀୟ ସେନାବାହିନୀରେ ୮ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଥିବା ପୂର୍ବରୁ ଜଣାପଡ଼ିଛି।