ଜାମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ୧୫ ଦିନରେ ୧୫ ଆତଙ୍କୀ ସଫା, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ ।

91

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ । ଗତ ୨୪ ଘଣ୍ଟା ଭିତରେ ସେନା ଗୁଳିରେ ନିପାତ ହୋଇଛନ୍ତି ୨ କୁଖ୍ୟାତ ଆତଙ୍କବାଦୀ । ହେଲେ ଏନକାଉଣ୍ଟର ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଘାଟିରେ ଆତଙ୍କରାଜ ବୃଦ୍ଧି ପାଉଥିବାରୁ ଗତ କିଛିଦିନ ଧରି ସେନା ପକ୍ଷରୁ ଆତଙ୍କୀ ବିରୋଧି ଅପରେସନ୍ କରାଯାଉଛି ।

ଜାମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ଟିଆରଏଫ କମାଣ୍ଡରକୁ ନିପାତ । ୧୫ ଦିନରେ ୧୫ ଆତଙ୍କୀଙ୍କୁ ସଫା କରିଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀରରେ ସେନା ପକ୍ଷରୁ ଜାରି ରହିଥିବା ସର୍ଚ୍ଚ ଅପରେସନ ଭିତରେ ପୁଣି ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ମାରିଛନ୍ତି ଯବାନ । ନିହତ ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କ ନାଁ ଆଦିଲ ବାନି ଓ ସେ ପୁଲୱାମା ବିସ୍ଫୋରଣରେ ସାମିଲ ରହିଥିଲା ।

ସେହିପରି ଶ୍ରୀନଗରରେ ସକ୍ରିୟ ଆତଙ୍କୀ ସଙ୍ଗଠନ ଟିଆରଏଫ କମାଣ୍ଡର ଦାୟିତ୍ୱ ତୁଳାଉଥିବା ଆଦିଲ ମଧ୍ୟ ସେନା ଗୁଳିରେ ନିହତ ହୋଇଛି । ଯିଏ ଦୁଇ ଦିନ ତଳେ ପ୍ରବାସୀ ଶ୍ରମିକଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା । ତେବେ ଆତଙ୍କୀଙ୍କୁ ଏନକାଉଣ୍ଟର କରିବା ଭିତରେ ସେନାର ଜଣେ ଯବାନ ସହୀଦ ହେବା ସହ ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଭଟ୍ଟା ଟୁରିୟନ ଘଂଚ ଜଙ୍ଗଲରେ ଲୁଚି ରହିଛନ୍ତି ଆତଙ୍କବାଦୀ । ପାଖାପାଖି ୫-୬ ଜଣ ଆତଙ୍କି ଲୁଚି ରହିଥିବା ଗୁଇନ୍ଦା ସୁତ୍ରରୁ ଖବର ପାଇ ସେନା ପକ୍ଷରୁ ତଲାସ ଅଭିଯାନ ଜୋରଦାର କରାଯାଇଛି । ଆତଙ୍କୀଙ୍କୁ ୪ ଦିଗରୁ ସେନା ଓ ପାରା କମାଣ୍ଡୋ ଯବାନ ଘେରି ନେଇଥିବା ଜଣାପଡିଛି । ୧୫ ଦିନରେ ୧୦ ରୁ ଅଧିକ ଥର ମୁହାଁମୁହିଁ ହେଲେଣି ସେନା ଓ ଆତଙ୍କବାଦୀ । ବର୍ତ୍ତମାନ ପର୍ଯ୍ୟନ୍ତ ୧୫ରୁ ଅଧିକ ଆତଙ୍କୀ ଏନକାଉଣ୍ଟରରେ ନିହତ ହୋଇଥିବା କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି । ଅନ୍ୟପଟେ ଆତଙ୍କବାଦୀଙ୍କ ମୂଳପୋଛ କରିବାପାଇଁ ସେନା ଓ ପୋଲିସ ବାହିନୀ ଦିନ ରାତି ଏକ କରିଛନ୍ତି ।

ଶ୍ରୀନଗର ସମେତ କାଶ୍ମୀରର ଅଧିକାଂଶ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆତଙ୍କବାଦୀମାନେ ସଂଖ୍ୟାଲଘୁ ଓ ପ୍ରବାସୀଙ୍କୁ ହତ୍ୟା କରୁଥିବା ଘଟଣାପରେ ସଜାଗ ହୋଇଛି ସେନା । ଶ୍ରୀନଗର ଲାଲଚୌକରେ ମହିଳାଙ୍କୁ ତନ୍ନ ତନ୍ନ ଯାଂଚ କରିବା ପାଇଁ ମହିଳା ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।