ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର ।

303

କନକ ବ୍ୟୁରୋ : ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ୧୫ପ୍ରତିଶତ ସଂରକ୍ଷଣ ମିଳିବ । ଆଜି ବିଧାନସଭାରେ ଏହି ସଂକଳ୍ପ ପାରିତ ହୋଇଛି । ଦଳମତ ନିର୍ବିଶେଷରେ ସମସ୍ତେ ସରକାରଙ୍କ ସଂକଳ୍ପକୁ ସ୍ୱାଗତ କରିଛନ୍ତି । ମେଡିକାଲ ଓ ଇଞ୍ଜିନିୟରିଂ ସିଟ୍ ପାଇବା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜଟିଳ ସମସ୍ୟା ଥିଲା । ଏବେ ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ସରକାରୀ ସ୍କୁଲର ପିଲାମାନଙ୍କୁ କିଛିଟା ସୁଯୋଗ ମିଳିବ ।

ରାଜ୍ୟର ୮୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢନ୍ତି । ସେଥିମଧ୍ୟରୁ କେବଳ ୨୩ ପ୍ରତିଶତ ମେଡିକାଲ କଲେଜ ଏବଂ ୨୧ ପ୍ରତିଶତ ଇଞ୍ଜିନିୟରିଂ କଲେଜରେ ସିଟ ପାଆନ୍ତି । ସେପଟେ ୧୨ ପ୍ରତିଶତ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପାଠ ପଢନ୍ତି । କିନ୍ତୁ ଏହାର ୬୦ ପ୍ରତିଶତ ଛାତ୍ରଛାତ୍ରୀ ଉଭୟ ମେଡିକାଲ ଏବଂ ଇଞ୍ଜିନିୟରିଂରେ ସିଟ ପାଉଛନ୍ତି ।

ଅବସରପ୍ରାପ୍ତ ବିଚାରପତି ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ଏହି ତଥ୍ୟ ପଛରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ବାସ୍ତବ ସ୍ଥିତି କ’ଣ ତାହା ସହଜରେ ଅନୁମାନ କରାଯାଇପାରୁଛି । ଅଧିକ ପିଲା ସରକାରୀ ସ୍କୁଲରେ ପଢୁଛନ୍ତି କିନ୍ତୁ ଖୁବ କମ୍ ପିଲା ମେଡିକାଲ ଏବଂ ଇଞ୍ଜିନିୟରିଂ ପଢିବାକୁ ସୁଯୋଗ ପାଉଛନ୍ତି ।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର । ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂରେ ଆଡମିଶନ ପାଇଁ ୧୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ସେ ସମ୍ପର୍କରେ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଣିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ କୋଚିଂର ଅଭାବ ଥିବାରୁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସଂଖ୍ୟା କମୁଛି । କୋଚିଂ ସେଂଟର ପ୍ରାୟତଃ ସହରାଂଚଳରେ ରହୁଛି । ଏଥିରେ କୋଚିଂ ନେବା ଅଧିକ ବ୍ୟୟ ବହୁଳ ହେଉଥିବାରୁ ଏ ବ୍ୟବସ୍ଥା କରାଯାଇଛି । ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ ।