ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ, ସର୍ବସମ୍ମତି କ୍ରମେ ହେଲା ପାରିତ ।

1,014

କନକ ବ୍ୟୁରୋ : ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଭେଟି । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ । ନବୀନ ବିଧାନସଭାରେ ଏହି ସଂକଳ୍ପ ଆଣିଥିବା ବେଳେ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିବା କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ସରକାରଙ୍କ ଏଭଳି ନିଷ୍ପତି ଗ୍ରାମଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଗ୍ରାମାଞ୍ଚଳରେ ଇଞ୍ଜନିୟରିଂ ଓ ମେଡିକାଲ ପଢିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତି ବେଶ ସହାୟକ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାବାଦ ସରକାରଙ୍କ ଏହି ନିଷ୍ପତି ସରକାରୀ ସ୍କୁଲରେ ପାଠ ପଢିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଗ୍ରହ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପକୁ ବିରୋଧୀ ମଧ୍ୟ ସମର୍ଥନ କରିଛନ୍ତି ।

ଗତ କିଛି ଦିନ ହେବ ସରକାରୀ ସ୍କୁଲରୁ ପିଲାଙ୍କ ସଂଖ୍ୟା କମୁଥିବା ବେଳେ ସରକାରଙ୍କ ଏହି ନିଷ୍ପତି ସରକାରୀ ସ୍କୁଲକୁ ପୁଣିଥରେ ଆଉ ଗୋଟିଏ ପାଦ ଆଗକୁ ନେଇଯିବ ବୋଲି କୁହାଯାଉଛି । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଧାନସଭାର ସ୍ୱତନ୍ତ୍ର ଆଲୋଚନା ଚାଲିଥିବା ବେଳେ ଏହି ସଂକଳ୍ପ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।