ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ଆସିଲା ତଥ୍ୟ । ସମସ୍ତ ୧୫ ପଜିଟିଭ ଭୋଗରାଇ ଅଂଚଳର ସୂଚନା । ସଂଗରୋଧ କେନ୍ଦ୍ରରେ ରହୁଥିଲେ ସମସ୍ତ ଆକ୍ରାନ୍ତ

1,440

କନକ ବ୍ୟୁରୋ: ଆଜି ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ଅଧିକ ତଥ୍ୟ ମିଳିଛି। ଏମାନେ ସମସ୍ତେ ଭୋଗରାଇ ଅଞ୍ଚଳର ଏବଂ ସେମାନେ ଏକାଧିକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ନେଇ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍ ସେଠାରେ ପହଞ୍ଚି ୧୫ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇବାର ବନ୍ଦୋବସ୍ତ କରୁଛନ୍ତି। ପୂର୍ବରୁ ଜଣେ ବୃଦ୍ଧଙ୍କ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସି ଏହି ୧୫ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି ।

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଆଜି ୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ଟପିଛି । ଏବେ ୩୫୨ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଗଂଜାମରେ ୨୯, ବାଲେଶ୍ୱର ୧୫, ଅନୁଗୁଳ ୧୩ ଓ ମୟୂରଭଂଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ପ୍ରବାସୀ ଓଡିଆ ଅଛନ୍ତି । ୪୧ ଜଣ ସୁରତରୁ ଫେରିଥିବା ବେଳେ ପଶ୍ଚିମବଙ୍ଗରୁ ଫେରିଛନ୍ତି ୧୦ । ସେହିଭଳି କର୍ଣ୍ଣାଟକରୁ ଫେରିଥିବା ୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରୁ ଆସିଥିବା ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଅନୁଗୁଳର ଜଣେ ଆକ୍ରାନ୍ତ ସ୍ଥାନୀୟ ଅଂଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ତେବେ ଅନୁଗୁଳ ଜଣେ ଆକ୍ରାନ୍ତଙ୍କ ଠାରୁ ବାକି ସମସ୍ତ ଆକ୍ରାନ୍ତ ସରକାରୀ ସଂଗରୋଧ କେନ୍ଦ୍ରରେ ରହୁଥିଲେ । ଗଂଜାମର ୨୯ଜଣ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସୁରତ ଲିଙ୍କ ରହିଛି । ମୟୂରଭଂଜ ଆକ୍ରାନ୍ତ ବି ସୁରତ ଫେରନ୍ତା । ସେହିଭଳି ବାଲେଶ୍ୱରରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଜିଲ୍ଲାରେ ଆକ୍ରାନ୍ତ ତାଲିକା ୪୨କୁ ବୃଦ୍ଧି ହୋଇଛି । ନୂଆ ୧୫ ଜଣଙ୍କ ମଧ୍ୟରୁ ୧୦ଜଣ କୋଲକାତାରୁ ଫେରିଥିବା ବେଳେ ୫ ଜଣ କର୍ଣ୍ଣାଟକରୁ ଫେରିଛନ୍ତି । ଅନୁଗୁଳରେ ୧୩ ନୂଆ ଆକ୍ରାନ୍ତ ଥିବା ବେଳେ ମୟୂରଭଂଜରେ ନୂଆ ଜଣେ ପଜିଟିଭକୁ ନେଇ ଆକ୍ରାନ୍ତ ତାଲିକା ୮ରେ ପହଂଚିଛି ।