କନକ ବ୍ୟୁରୋ: ରାଜଧାନୀରେ ପୁଲିସର ପାରିବା ପାଣିଆ ଉପରେ ଉଠିଛି ପ୍ରଶ୍ନ । ଭୁବନେଶ୍ୱର ବିଶ୍ୱକପ ହକି ପାଇଁ ଚଳଚଞ୍ଚଳ ହୋଇଥିବାବେଳେ ଅସାମାଜିକ ଲୋକଙ୍କ ଆତଙ୍କ ପୁଲିସର ନିଦ ହଜାଇଦେଇଛି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଦୁର୍ବୃତ ପୁଲିସକୁ ବି ଛାଡୁନାହାନ୍ତି । ରାତି ଅଧରେ ମହିଳା ପୁଲିସ ଅଧିକାରୀଙ୍କୁ ଖଣ୍ଡା ଦେଖାଇ ଧମକ ଦେଇଛନ୍ତି ।
ଭୁବନେଶ୍ୱରରେ ରାତିଅଧିଆ ଘରକୁ ଫେରିବା କେତେ ବିପଦଜନକ , ତାହା ସୋମବାର ରାତିର ଏକ ଛାତିଥରା ଘଟଣାରୁ ସ୍ପଷ୍ଟ ହୋଇଛି । ଦୁର୍ବୃତମାନେ ପୁଲିସ ସବଇନସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ରାତି ଅଧରେ ଗୋଡାଇ ଧମକ ଚମକ ଦେଇଛନ୍ତି । କାରରେ ପିଛା କରିବା ସହ ଖଣ୍ଡା ଦେଖାଇ ଆକ୍ରମଣ ଉଦ୍ୟମ କରିଛନ୍ତି । ଶୁଭଶ୍ରୀ ନାୟକ ରାତିରେ ଡ୍ୟୁଟି ସାରି ମହିଳା ଥାନାରୁ ନିଜ କ୍ୱାର୍ଟରକୁ ଫେରିବାବେଳେ ଦୁର୍ବୃତ ରାଜଧାନୀର ଛାତି ଉପରେ ୧୫ ମିନିଟର ଆତଙ୍କ ଖେଳାଇଛନ୍ତି । ଏ ନେଇ ଶୁଭଶ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସବୁଠାରୁ ବଡ କଥା ହେଲା, ଶୁଭଶ୍ରୀ ନିଜ କ୍ୱାଟରକୁ ଫେରିବା ବେଳେ ବର୍ଦ୍ଦିରେ ଥିଲେ । ଏହାକୁ ଖାତିର ନ କରି ଅସମାଜିକ ଯୁବକ ଶୁଭଶ୍ରୀଙ୍କୁ ପିଛା କରି ବିଚ ରାସ୍ତାରେ ଆତଙ୍କ ସୃଷ୍ଟି କରିଛନ୍ତି । ଅଭିଯୋଗ ଅନୁସାରେ, ଶୁଭଶ୍ରୀ କାରରେ ଫେରିବାବେଳେ ବିପରୀତ ଦିଗରୁ ଏକ କାର ତାଙ୍କ ଗାଡି ଆଗକୁ ଦ୍ରୁତ ଗତିରେ ମାଡିଆସିଥିଲା । କିନ୍ତୁ ସେ ଗାଡିକୁ ରାସ୍ତାକଡକୁ ନେଇଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ସାଇନ୍ସ ପାର୍କ ଗଳିରେ ଏହି ଯୁବକମାନେ ପୁଣି ପିଛା କରି ଅସଭ୍ୟ ଭାଷାରେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଶୁଭଶ୍ରୀଙ୍କ କାରକୁ ଧକ୍କା ଦେବାକୁ ଉଦ୍ୟମ ବି କରିଥିଲେ । କିନ୍ତୁ ଏଥିରୁ ବର୍ତ୍ତି ଯାଇଥିଲେ ଶୁଭଶ୍ରୀ ଘଟଣା ଏତିକିରେ ଅଟକି ନଥିଲା । ଅସମାଜିକ ଯୁବକମାନେ ବେପରୁଆ ଭାବେ ଚିକ୍ରାର କରି କାର ବାହାରକୁ ଖଣ୍ଡା ଦେଖାଇ ପୁଲିସ ରିଜର୍ଭ ବାରାକ ଭିତରକୁ ପଶିଥିଲେ । ସେପଟେ ଡିସିପି କହିଛନ୍ତି ି, ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ରାଜଧାନୀର ଛାତି ଉପରେ ଘଟିଥିବା ଏଭଳି ଘଟଣାକୁ ଅତି ଗୁରୁତର ସହ ନେଇଛି କମିଶନରେଟ ପୁଲିସ । ଘଟଣା ଘଟିଥିବା ଅଂଚଳର ସିସିଟିଭିକୁ ଯାଂଚ କରାଯାଉଛି । ଆଇପିସି ଧାରା ୩୪୧, ୨୯୪, ୫୦୬, ୩୪ରେ ମାମଲା ରୁଜୁ ହୋଇଛି । ପ୍ରଶ୍ନ ଉଠୁଛି ପୁଲିସର କଡା ପାଟ୍ରୋଲିଂ ସତ୍ୱେ ଅସମାଜିକ ଯୁବକ ରାତିରେ କିଭଳି ଆତଙ୍କ ଖେଳାଉଛନ୍ତି । ଯଦି ଖୋଦ ରାଜଧାନୀରେ ପୁଲିସ ସୁରକ୍ଷିତ ନୁହନ୍ତି. ଲୋକଙ୍କ ସୁରକ୍ଷା କଥା ବୁଝିବ କିଏ ।
Follow Us