ସଫଳତା ପଥରେ ନୂଆ ପ୍ରୟାସ: ପୁରସ୍କୃତ ହେଲେ ୧୫ କୁନି ପ୍ରତିଭା। ଘୋଷଣା ହେଲା ଛାତ୍ରବୃତ୍ତି।

129

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ସଫଳତା ଗୋଟେଇ ଚାଲିଛି ନୂଆ ପ୍ରୟାସ। ଗତବର୍ଷ ଆରମ୍ଭ ହୋଇଥିବା ନୂଆ ପ୍ରୟାସର ନୂଆ ଅଭିଯାନ ୨ୟ ବର୍ଷରେ ପାଦ ଦେଇଛି। ଗତବର୍ଷ ପରି ଏବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସରେ ୧୫ ନୂଆ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି। ଆଜି ଶିଙ୍ଗାଖୁଣ୍ଟାରେ ଆୟୋଜିତ ହୋଇଛି ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପୁରସ୍କାର ବିତରଣ ଉତ୍ସବ ୨୦୨୨ । ଯେଉଁଥିରେ ସୋର ଶିଙ୍ଗାଖୁଣ୍ଟା ପଞ୍ଚାୟତର ୧୩ଟି ସ୍କୁଲର ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ସର୍ବୋତ୍ତମ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।ଏହି ଅବସରରେ ଶିକ୍ଷାବିତ୍ ମୁରଲୀଧର ପାଢୀ ମଞ୍ଚରେ ସଭାପତିତ୍ବ କରିଥିବା ବେଳେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ, କୈଳାସ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ବେଜ, ପ୍ରାକ୍ତନ ପ୍ରଧାନଶିକ୍ଷକ ନନ୍ଦ କିଶୋର ନାୟକ, ଶିକ୍ଷକ ଦାମୋଦର ପାଣିଗ୍ରାହୀଙ୍କ ସହ ନରେନ୍ଦ୍ର ମହାପାତ୍ରଙ୍କ ବଡ଼ ଭାଇ କୈଳାସ ମହାପାତ୍ର ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବଖାଣିଥିଲେ ନୂଆ ପ୍ରୟାସର ସଭାପତି ଜ୍ୟୋତି ରଞ୍ଜନ ଜେନା । ସମ୍ବର୍ଦ୍ଧନା ପର୍ବର ପରିଚାଳନା ଭାର ସାମ୍ବାଦିକ ରାମକୃଷ୍ଣ ବାରିକ ସମ୍ଭାଳିବା ସହ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଆମନ୍ତ୍ରିତ କରିଥିଲେ ।

ଏହି ଅବସରରେ ନୂଆ ପ୍ରୟାସର ଆଉ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସଙ୍ଗଠନର ସଦସ୍ୟ ତଥା ଯୁବ ଉଦ୍ୟୋଗୀ ରଞ୍ଜନ ସାମଲ ଛାତ୍ରବୃତ୍ତି ଘୋଷଣା କରିଥିଲେ। ଇନଭାଇଟ ଇନସପାୟାର ସ୍କଲାରସିପ୍ ଘୋଷଣା ହୋଇଛି। ଯେଉଁଥିରେ ଦଶମରେ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିମାସ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହା ୩ ବର୍ଷ ଯାଏଁ ଦିଆଯିବ। ମାଟ୍ରିକ ପରେ ପଢାରେ ଡୋରି ବାନ୍ଧୁଥିବା ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ ଏହା ସାହାଯ୍ୟ କରିବ। ଏଥିସହ ଚଳିତ ବର୍ଷ ପାଇଁ କୈଳାସ ଚନ୍ଦ୍ର ହାଇସ୍କୁଲର ସର୍ବାଧିକ ନମ୍ବର ରଖିଥିବା ହିମାଂଶୁ ସାହୁଙ୍କୁ ୧ ହଜାର ଅର୍ଥ ରାଶି ସହ ଅନ୍ୟ ଉପହାର ଦିଆଯାଇଛି।ତେବେ ୧୫ କୁନି କୁନି ପ୍ରତିଭାଙ୍କୁ ନିଜ ଦକ୍ଷତା ପାଇଁ ପ୍ରଶଂସା ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ କାଜଲ ବିଶ୍ବାଳ, ଅଭିଲିପ୍ସା ମଲ୍ଲିକ, ହିମାଂଶୁ ସାହୁ, ପ୍ରତ୍ୟାଶା ଦୀକ୍ଷିତ, ଧର୍ମେଶ ମହାନ୍ତି, ଅର୍ଚ୍ଚିତା ସାହୁ, ଭାନୁମତୀ ବେହେରା, ନିଲମ ବେହେରା, ବୀର ସିଂ, ମାନସ ମୁର୍ମୁ, ଅମ୍ରିତ ମାହାନା, ଧୀରେନ ଧଳ, ସୋନାଲି ନାୟକ, ଅଞ୍ଜନାରାଣୀ ସିଂ, ଚିନ୍ମୟୀ ଖିଲାପ। ପୁରସ୍କାର ସହ ସମସ୍ତେ ଏକ ଶପଥ ପାଠ କରିଲେ। ବୃକ୍ଷରୋପଣ ଓ ପରିବେଶର ସୁରକ୍ଷା ଦିଗରେ ଗୁରୁତ୍ବ ଦେବାକୁ ସମସ୍ତେ ପ୍ରତିଜ୍ଞା କରିଥିଲେ।