କନକ ବ୍ୟୁରୋ : ସେମାନଙ୍କ ଘର ପାଲଟିଛି କଟକ ସତୀଚଉରାର ମଶାଣି । ଦିନରାତି ୨୪ ଘଣ୍ଟା ଏହି ଶଶ୍ମାନରେ କୋଭିଡ୍ ରୋଗୀଙ୍କ ମୃତଦେହ ଦାହ କରୁଛନ୍ତି। ଯେତେବେଳେ ବିନା ପିପିଇ କିଟରେ ସେବିକା କିମ୍ବା ଡାକ୍ତର ରୋଗୀଙ୍କ ଚିକିତ୍ସା କରୁନାହାନ୍ତି, ସେତେବେଳେ ସେମାନେ ବିନା ଭୟରେ ମୃତକଙ୍କୁ ଦାହ କରୁଛନ୍ତି। ଏପର୍ଯ୍ୟନ୍ତ ସେମାନେ ୧୪୦୦ କରୋନା ରୋଗୀଙ୍କ ଶବଦାହ କରିସାରିଲେଣି। ଗତବର୍ଷ ୧୨୦୦ ଶବ ଦାହ କରିଥିବାବେଳେ ଏବର୍ଷ ୨୦୦ ଶବଦାହ କରିସାରିଛନ୍ତି। ତା’ରି ଭିତର ବି ରୋଷେଇ କରି ଖାଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ, ସବୁକିଛି ବି ସେହି ମଶାଣିରେ।
ସାବିତ୍ରୀ ଜନସେବାର ଏହି କରୋନା ଯୋଦ୍ଧା ହେଉଛନ୍ତି ସମୁଦାୟ ୧୫ ଜଣ। ସେମାନେ ହେଲେ, ଭୂତି କୁମାର ରାୟ, ମାନସ ନନ୍ଦ, ରାଜ କୁମାର ମହାନ୍ତି, ପ୍ରମୋଦ ଦାସ, ସରୋଜ କୁମାର ବେହେରା, ଭାଗ୍ୟଧର ଆଚାର୍ଯ୍ୟ, ହେମନ୍ତ ନାୟକ, ଆଲୋକ ବେହେରା, ଚନ୍ଦନ କୁମାର ମହାନ୍ତି, ବିଶ୍ବଜିତ ରାୟ, ପ୍ରଭାକର ଦାସ, ରଂଜନ କୁମାର ରଥ, ସୁସ୍ମିତା ବେଉରା, ନିବେଦିତା ରାୟ।
ସତୀଚଉରା ଶ୍ମଶାନରେ ଜଣେ କୋଭିଡ୍ ରୋଗୀଙ୍କ ମୃତଦେହ ପହଞ୍ଚିବା ପରେ ଆତ୍ମୀୟସ୍ବଜନମାନେ ବାହାରେ ଅପେକ୍ଷା କରୁଥିବାବେଳେ ପାଖ ବି ମାଡ଼ୁନାହାନ୍ତି। କେହି କେହି ବି ଶବ ଛାଡ଼ି ଚାଲିଯାଉଛନ୍ତି। ହେଲେ, ଥରୁଟିଏ ଶବ ସତୀଚଉରା ଶ୍ମଶାନରେ ପହଞ୍ଚିବା ପରେ ଏହି ୧୫ ଜଣଙ୍କ ଉପରେ ଶବଦାହ କାମ। ଅବଶ୍ୟ ସରକାର ଶବ ପିଛା ତାଙ୍କୁ ୪୮୦୦ ଟଙ୍କା ଦେଉଛନ୍ତି। ସେଥିରେ କାଠ, ପୂଜା ଉପକରଣଠାରୁ ଦାହ ପାଇଁ ଆବଶ୍ୟକ ସରଂଜାମ, ଗ୍ଲୋବ୍ସ କିଣାଯାଉଛି। ଏହି ସ୍ବଳ୍ପ ଅର୍ଥ ପାଇଁ ବି ସେମାନେ ଜୀବନକୁ ବାଜି ଲଗାଇ ଦେଉଥିବା ଦେଖିବାକୁ ମିଳୁଛି।
ତେବେ ପ୍ରତିଦିନ କୋଭିଡ୍ ରୋଗୀଙ୍କ ଶବ ପୋଡ଼ୁଥିବା ଏହି ଆଗଧାଡ଼ିର ଯୋଦ୍ଧାଙ୍କୁ କେବେ କରୋନା ଛୁଇଁ ନାହିଁ ବୋଲି ସଂସ୍ଥାର ମୁଖ୍ୟ ବିଭୂତି କୁମାର ରାୟ କହିଛନ୍ତି। ବିଭୂତି କ୍ଷୋଭର ସହିତ କହିଛନ୍ତି, ଈଶ୍ବରଙ୍କ ଆଶୀର୍ବାଦରୁ ସେମାନେ ଏତେ ବଡ଼ କାମ କରିବାର ସୁଯୋଗ ପାଇଛନ୍ତି। ଲୋକ ଶବ ନ ନେଇ ଘରକୁ ପଳାଉଛନ୍ତି, ମାତ୍ର ସ୍ବେଚ୍ଛାସେବୀ ଜୀବନକୁ ବାଜି ଲଗାଇ ଏ କାମ କରୁଛନ୍ତି।
ମାତ୍ର, ଏଭଳି ମହତ କାମ କରୁଥିଲେ ବି ଏହି ସମ୍ମୁଖ ଯୋଦ୍ଧାିଙ୍କୁ ବୀମାଭୁକ୍ତ କରାଯାଇ ନାହିଁ। ବୀମା ତ ଦୂରର କଥା; ଏମାନଙ୍କୁ ଏଯାଏଁ ଟିକା ମଧ୍ୟ ମିଳିନି କି ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଯାଞ୍ଚ କରାଯାଉ ନାହିଁ। ବିନା ପିପିଇ କିଟରେ ସେମାନଙ୍କୁ ଶବ ଦାହ କରିବାକୁ ପଡୁଛି। ଶବ ପିଛା ଯେତିକି ଟଙ୍କା ମିଳୁଛି ସେଥିରୁ ପିପିଇ କିଟ୍ କିଣିବା ସମ୍ଭବ ନୁହେଁ ବୋଲି ବିଭୂତି କହିଛନ୍ତି। ଏଭଳି ସମ୍ମୁଖ ଯୋଦ୍ଧାଙ୍କୁ ଏଯାଏ ଯୋଦ୍ଧାର ସ୍ବୀକୃତି ମଧ୍ୟ ମିଳି ନାହିଁ।