ରାଜ୍ୟର ୧୫ ଜିଲ୍ଲା ଭୂମିକମ୍ପ ପ୍ରବଣ ଅଞ୍ଚଳ । ବିଧାନସଭାରେ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଦେଖନ୍ତୁୁ, ଲିଷ୍ଟରେ ଅଛି କେଉଁ କେଉଁ ଜିଲ୍ଲା?

355

କନକ ବ୍ୟୁରୋ: ରାଜ୍ୟର ୧୫ ଜିଲ୍ଲା ଏବେ ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଆଜି ଏହି ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ଜିଲ୍ଲା ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି? ଏବଂ ଏହା କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ । ତା ସହିତ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହି ସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ।

ଏହାର ଉତ୍ତର ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ ଯେ, ଓଡିଶାର ୧୫ଟି ଜିଲ୍ଲା ଯଥାକ୍ରମେ – ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର ଓ ମୟୂରଭଞ୍ଜ ହେଉଛି ଭୂମିକମ୍ପ ପ୍ରବଣ ଅଞ୍ଚଳ ।

ତା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସହରରେ ସହରାଞ୍ଚଳ ଭୂମିକମ୍ପ ବିପଦ ସଙ୍କୁଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ତା ବ୍ୟତୀତ ଏ ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଉଛି । ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷାରେ ଏହାକୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।