ଫୁଟପାଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢିଗଲା ଡମ୍ପର । ଅକାଳରେ ଚାଲିଗଲା ୧୫ ଜୀବନ, ୩ ଜଣ ଗୁରୁତର । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।

446

କନକ ବ୍ୟୁରୋ : ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୁରଟର କିମ୍‌ ମାଣ୍ଡବୀ ରାସ୍ତାର ଫୁଟପାଥରେ ଶୋଇଥିବା ୧୮ ଜଣଙ୍କ ଉପରେ ଏକ ଡମ୍ପର ଚଢ଼ିଯିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ଶ୍ରମିକ ଓ ସେମାନଙ୍କ ଘର ରାଜସ୍ଥାନର ବନଶ୍ୱାରା ଜିଲ୍ଲାରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କିମ-ମାଣ୍ଡବୀ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଓଭରଟେକ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଫଳରେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ ଫୁଟପାଥ ଉପରକୁ ମାଡି ଯାଇଥିଲା ଡମ୍ପର । ସେଠାରେ ଶୋଇଥିବା ସମସ୍ତଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ସମୁଦାୟ ୧୮ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ଶ୍ରମିକମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ଏପରିକି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।