ଆଗକୁ ତାତିରୁ ମିଳିବ ଆଶ୍ୱସ୍ତି… କମିବ ୨ରୁ ୩ ଡିଗ୍ରି ତାପମାତ୍ରା

155

ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଥିବା ବେଳେ ପରବର୍ତୀ ୩ ଦିନ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବ । ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବୁଧବାର ବି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ‌ରେକର୍ଡ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ାରେ ୪୨.୮, ବଲାଙ୍ଗୀରରେ ୪୨.୫, ସମ୍ବଲପୁରରେ ୪୨.୩, ଅନୁଗୁଳରେ ୪୨.୧, ଟିଟିଲାଗଡ଼ ଓ ହୀରାକୁଦରେ ୪୨, ତାଳଚେରରେ ୪୧.୭, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୧.୫, ନୟାଗଡ଼ ଓ ସୋନପୁରରେ ୪୧, ମାଲକାନଗିରିରେ ୪୦.୫, ପାରଳାଖେମୁଣ୍ଡି ଓ ଫୁଲବାଣୀରେ ୪୦ ଡିଗ୍ରି ରହିଥିଲା । ତତଲା ସହର ପାଲଟିଥିବା ଭୁବନେଶ୍ବରର ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୪୦ ଡିଗ୍ରି ତଳକୁ ଖସି ୩୯.୫ ଡିଗ୍ରିରେ ରହିଛି।