ମୟୂରଭଞ୍ଜ ବିଜେପିରେ ଅନ୍ତଃକନ୍ଦଳ : ଇସ୍ତଫା ଦେଲେ ୧୫ ଜଣ ବିଜେପି ଜିଲ୍ଲାପରିଷଦ ସଭ୍ୟ

141

କନକ ବ୍ୟୁରୋ : ମୟୂରଭଞ୍ଜ ବିଜେପିରେ ଅନ୍ତଃକନ୍ଦଳ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ୧୫ ଜଣ ବିଜେପି ଜିଲ୍ଲାପରିଷଦ ସଭ୍ୟ । ଏନେଇ ବିଜେପି ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ପାଖକୁ ୧୫ ଜିଲ୍ଲାପରିଷଦ ସଭ୍ୟ ଇସ୍ତଫା ପତ୍ର ପଠାଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ମନମୁଖୀ କାର୍ଯ୍ୟକଳାପ ଓ ସ୍ୱେଚ୍ଛାଚାରିତାରେ ଅସନ୍ତୁଷ୍ଟ ହୋଇ ସେମାନେ ଦଳ ଛାଡୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିିଛନ୍ତି ।

ଜିଲ୍ଲାପରିଷଦର ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥର ବଂଟନରେ ପାତରଅନ୍ତର ଓ ଦଳୀୟ ନେତାଙ୍କ ଜିଲ୍ଲା ପରିଷଦରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ଏନେଇ ରାଜ୍ୟସ୍ତରୀୟ ନେତାଙ୍କୁ ଜଣାଇଲେ ମଧ୍ୟ ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଏହା ଜିଲ୍ଲା ପରିଷଦ ସଦସ୍ୟଙ୍କୁ ହତୋତ୍ସାହିତ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଇସ୍ତଫା ଦେଇଥିବା ଜିଲ୍ଲାପରିଷଦ ସଭ୍ୟ । ୨୦୧୭ରେ ଜିଲ୍ଲା ପରିଷଦ ନିର୍ବାଚନରେ ୪୯ଟି ଆସନରେ ବିଜୟୀ ହୋଇ ଜିଲ୍ଲାପରିଷଦ ଗଠନ କରିଥିଲା ବିଜେପି । ଆଉ ଜିଲ୍ଲାପରିଷଦ ଅଧ୍ୟକ୍ଷା ହୋଇଥିଲେ ସୁଜାତା ମୁର୍ମୁ । ହେଲେ ତାଙ୍କ ସ୍ୱେଚ୍ଛାଚାରକୁ ନେଇ ଏବେ ଦଳ ଭିତରେ ବିରୋଧର ସ୍ୱର ତେଜିଛି ।

ଏପରିକି ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ତାଙ୍କ ବିରୋଧରେ ଦୁର୍ନୀତି ଓ ସ୍ୱେଚ୍ଛାଚାର ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜର ୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହାପରଠୁ ମୟୂରଭଂଜ ବିଜେପିର ଗଡ ବୋଲି କୁହାଯାଉଥିଲା । ହେଲେ ଏବେ ପଂଚାୟତ ନିର୍ବାଚନ ଆଗରୁ ବିଜେପିରେ ଅନ୍ତଃକନ୍ଦଳ ଓ ୧୫ ଜିଲ୍ଲାପରିଷଦ ସଦସ୍ୟଙ୍କ ଇସ୍ତଫା ଦେବା ଦଳକୁ କ୍ଷତିରେ ପକାଇପାରେ  ।