ତାରିଖ ଗଡ଼ୁଛି, ହୋଇପାରୁନି ଫଇସଲା । କୋର୍ଟରେ ଖାଲି ପଡ଼ିଛି ବିଚାରପତି ପଦ, ବର୍ଷ ବର୍ଷ ଧରି ଚାଲିଛି ମାମଲା । ବିଧାନସଭାରୁ ଆସିଲା ଓଡ଼ିଶା ନ୍ୟାୟିକ ବ୍ୟବସ୍ଥାର ଚିତ୍ର ।

179

କନକ ବ୍ୟୁରୋ : ହାଇକୋର୍ଟରେ ବିଚାର ନହୋଇ ପଡିରହିଛି ଦେଢ ଲକ୍ଷରୁ ଅଧିକ ବିଚାରଧୀନ ମାମଲା । ଖାଲି ପଡିଛି ୧୪ଟି ବିଚାରପତି ପଦ । ୧୦ରୁ ୨୦ବର୍ଷ ଧରି ହଜାର ହଜାର ମାମଲାର ହୋଇପାରୁନି ଶୁଣାଣି । ଆଜି ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନରେ କିଛି ଏଭଳି ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ।

ଆଉ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି, କେମିତି ନ୍ୟାୟ ପାଇବେ ବିଚାରାଧୀନ କଏଦୀ ? ହାଇକୋର୍ଟରେ ପଡ଼ି ରହିଛି ୧୪ ବିଚାରପତି ପଦ । ଦେଢ଼ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ । ଯଦି କୋର୍ଟରେ ବିଚାରପତି ହିଁ ରହିବେ ନାହିଁ, ତାହେଲେ କେମିତି ଚାଲିବ ନ୍ୟାୟିକ ପ୍ରକ୍ରିୟା । ଓଡ଼ିଶା ନ୍ୟାୟିକ ବ୍ୟବସ୍ଥା କିଭଳି ଚାଲିଛି, ତାହାର ଏକ ବିସ୍ତୃତ ତଥ୍ୟ ଆସିଛି ଓଡ଼ିଶା ବିଧାନସଭାରୁ ।

ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ରଖିଥିବା ତଥ୍ୟ କହୁଛି,

-ଅକ୍ଟୋବର ୩୦ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଅଛି ୧ ଲକ୍ଷ ୫୦ ହଜାର ୯୩୮ ମାମଲା
-ଏଥିରୁ ୨୧ ହଜାର ୬୫୯ଟି ମାମଲା ୧୦ରୁ ୨୦ ବର୍ଷ ହେଲା ବିଚାରାଧୀନ ରହିଛି
-ସେହିପରି ୩ ହଜାର ୭୯୭ଟି ମାମଲା ୨୦ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି

ଦେଢ଼ ଲକ୍ଷରୁ ଅଧିକ ମାମଲା ପଡି ରହିବାର କାରଣ ମଧ୍ୟରେ ପ୍ରମୁଖ କାରଣ ହେଉଛି ଖାଲି ପଡ଼ିଥିବା ବିଚାରପତି ପଦବୀ । ନଜର ପକାନ୍ତୁ ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଉପରେ ।

-ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୪ଟି ବିଚାରପତି ପଦ ଖାଲି ରହିଛି
– ଜିଲ୍ଲାଜଜ୍ ବର୍ଗରେ ଖାଲି ପଡିଛି ୨୫ ବିଚାରପତି ପଦ
-ସିନିୟର ସିଭିଲ୍ ଜଜ୍ ବର୍ଗରେ ଖାଲି ପଡିଛି ୩୪ ବିଚାରପତି ପଦ
-ସିଭିଲ ଜଜ୍ ବର୍ଗରେ ୮୯ ଜଣ ବିଚାରପତି ପଦବୀ ଖାଲି ପଡ଼ିଛି

ଆଉ ଏସବୁ ତଥ୍ୟ ହିଁ ପ୍ରଶ୍ନ କରୁଛି, କେବେ ପୂରଣ ହେବ ଖାଲି ପଡ଼ିଥିବା ଶତାଧିକ ବିଚାରପତି ପଦ ଏବଂ କେବେ ସରିବ ଲକ୍ଷାଧିକ ମାମଲାର ବିଚାର ପ୍ରକ୍ରିୟା ।