ଆଇପିଏଲକୁ ପୂରିଲା ୧୪ ବର୍ଷ । ଆଜିର ଦିନରେ ଆରମ୍ଭ ହୋଇଥିଲା କ୍ରିକେଟର ମହାକୁମ୍ଭ ।

131

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଆଜି ୧୪ ବର୍ଷରେ ପାଦ ଦେଇଛି । ୨୦୦୮ ଆଜିର ଦିନରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ଖେଳାଯାଇଥିଲା ଆଇପିଏଲର ପ୍ରଥମ ମ୍ୟାଚ୍ । ବାଙ୍ଗାଲୋରର ଏମ୍. ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ହୋଇଥିଲା ଦମଦାର ଟକ୍କର ।

ଲିଗର ପ୍ରଥମ ଏବଂ ଐତିହାସିକ ମ୍ୟାଚରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ କୋଲକାତା ଟିମ୍ ୧୪୦ ରନର ବିଶାଳ ବ୍ୟବଧାନରେ ବାଜିମାତ୍ କରିଥିଲା । ସେତେବେଳେ ବାଙ୍ଗାଲୋର ଟିମର ଅଧିନାୟକ ରହିଥିଲେ ରାହୁଲ ଦ୍ରାବିଡ୍ । ତେବେ ଆଇପିଏଲର ପ୍ରଥମ ସିଜିନର ବିଜେତା ବନିଥିଲା ରାଜସ୍ଥାନ ରୟାଲ୍ସ । ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ଦିବଙ୍ଗତ ଖେଳାଳୀ ସେନ୍ ୱର୍ନଙ୍କ ନେତୃତ୍ୱରେ ଐତିହାସିକ ବିଜୟ ହାସଲ କରିଥିଲା ରାଜସ୍ଥାନ । ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସକୁ ୩ ୱିକେଟରେ ମାତ୍ ଦେଇଥିଲା ଦଳ । ସେତେବେଳେ ଚେନ୍ନାଇର ଅଧିନାୟକ ରହିଥିଲେ ମହେନ୍ଦ୍ର ସିଂହ ଧୋନୀ ।

ଏହାରି ଭିତରେ ୧୪ ବର୍ଷ ବିତିସାରିଲାଣି । ଏବଂ ଚଳିତବର୍ଷ ଆଇପିଏଲର ୧୫ତମ ସିଜିନ୍ ଖେଳାଯାଉଛି । ଚଳିତଥର ଦୁଇଟି ନୂଆ ଟିମ୍ ସାମିଲ ହୋଇଥିବା ବେଳେ ମୋଟ୍ ୧୦ଟି ଟିମକୁ ନେଇ ଚାଲିଛି ଜୋରଦାର ଲଢେଇ । ପ୍ରତିବର୍ଷ ଆଇପିଏଲର କ୍ରେଜ ବଢୁଥିବା ବେଳେ ଏହି ଲିଗ୍ ଲୋକପ୍ରିୟ ମଧ୍ୟ ହୋଇପାରିଛି ।