୧୪୭ ବିଧାନସଭା ଆସନରୁ ଝୁଲିଲା ୬ ଆସନ: ରୋଚକ ସ୍ଥିତିରେ ନୀଳଗିରି ରାଜନୀତି

311

କନକ ବ୍ୟୁରୋ: ୧୪୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ବାକି ୬ ଆସନରେ ବିଜେଡିର ଯୋଦ୍ଧା କିଏ ହେବେ ତାକୁ ନେଇ ବଢିଲା ଚର୍ଚ୍ଚା । ୬ ଆସନରୁ ନୀଳଗିରି, କୋରେଇ ସବୁଠୁ ରୋଚକ ସ୍ଥିତିରେ ରହିଛି । ଏହି ୬ ଆସନ ମଧ୍ୟରୁ ୨୦୧୯ରେ ବିଜେଡି ୫ଟି ଆସନରେ ବିଜୟୀ ହୋଇଥିଲା । ତେବେ ବିଧାୟକଙ୍କ ଟିକେଟ କଟିବା ପରେ ନିମାପଡା, ବରୀ ଆଦି ସ୍ଥାନର ଅସନ୍ତୋଷ ଯେପରି ଅନ୍ୟ ସ୍ଥାନରେ ନକୁହୁଳେ ତାକୁ ଧ୍ୟାନ ଦେଉଛି ଶଂଖ ଭବନ ।

୧୪୭ ବିଧାନସଭା ଆସନରୁ ବିଜେଡି ଏଯାବତ ୧୪୧ ଆସନରେ ପ୍ରାର୍ଥୀ ଦେଇଛି । ଏବେ ୬ଟି ବିଧାନସଭା ଆସନ ଝୁଲି ରହିଛି । ଭୋଗରାଇ, ନୀଳଗିରି, କୋରେଇ. ଖୋର୍ଦ୍ଧା, ବୋଲଗଡ଼-ବେଗୁନିଆ, ଖଣ୍ଡପଡ଼ା ଆସନ ପାଇଁ ଟିକେଟ୍ ଘୋଷଣା ହୋଇନାହିଁ । ଭୋଗରାଇରେ ଏବେର ବିଧାୟକ ଅନନ୍ତ ଦାସ ଏବଂ ତାଙ୍କ ପୁଅ ଟିକେଟ୍ ପାଇଁ ଦାବିଦାର ଅଛନ୍ତି । କିନ୍ତୁ ଦଳ ନୂଆ ପ୍ରାର୍ଥୀ ଦେବାକୁ ଯୋଜନା କରୁଥିବା କୁହାଯାଉଛି । ସେହିପରି ନୀଳଗିରିକୁ ନେଇ ବିଜେଡି ଦ୍ୱଦ୍ୱରେ ରହିଛି । ସୁକାନ୍ତ ନାୟକଙ୍କ ଘର ବାହୁଡା ପରେ ଦଳକୁ ଆଭ୍ୟନ୍ତରଣ କନ୍ଦଳ ଚିନ୍ତା ଘାରିଛି । ୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ଅଳ୍ପ ବ୍ୟବଧାନରେ ହାରିଥିଲେ ମଧ୍ୟ ସେବେଠୁ ଗଡ ଜଗିବା ସହିତ ମଜବୁତ କରାଇଛନ୍ତି । କିନ୍ତୁ ଶୀର୍ଷ ନେତୃତ୍ୱ ଆମଦାନୀ ନେତାଙ୍କୁ ଭରସା କରିବେ ନା ସନ୍ତୋଷଙ୍କୁ ତାକୁ ନେଇ ନୀଳଗିରି ରାଜନୀତି ସରଗରମ । କେବଳ ବିଜେଡି ନୁହଁ ପ୍ରତିପକ୍ଷ ଦୁଇ ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା ନକରି ବିଜେଡି ଉପରେ ନଜର ରଖିଥିବା କୁହାଯାଉଛି । କାରଣ ଅସନ୍ତୁଷ୍ଟକୁ ଆଣି ଗେମ୍ ଚେଞ୍ଜ ଅପେକ୍ଷାରେ କଂଗ୍ରେସ ଏବଂ ବିଜେପି ।

ଆକାଶ ଦାସ ନାୟକ ଦଳ ଡିଆଁ ପର୍ବରେ ସାମିଲ ହୋଇ ବିଜେପିର କୋରେଇ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଏହାପରେ ଯାଜପୁରର ଏହି ଅନ୍ୟତମ ଚର୍ଚ୍ଚିତ ଆସନ ବିଜେଡି ପାଇଁ କୁଆଡେ କଂଟା ସାଜିଛି । ଏହି ଆସନ ପାଇଁ ଶାସକ ଦଳର ଦୁଇ ଗୋଷ୍ଠୀ ନଜର ରଖିଥିବା କୁହାଯାଉଛି । ଅନ୍ୟପଟେ ରଣନୀତୈକ ବିଫଳତା ପାଇଁ ଯେପରି ବିରୋଧୀଙ୍କ ପକେଟକୁ ଏହି ଆସନ ନଯାଏ ତାଉପରେ ନଜର ରଖିଛି ଶଂଖ ଭବନ । ସେହିପରି ଖୋର୍ଦ୍ଧାରେ ଜିତୁ ମିତ୍ରଙ୍କ ଉପରେ ଭରସା କରିବ ନା ୨୦୧୯ରେ ବେଗୁନିଆରୁ ବିଜୟୀ ହୋଇଥିବା ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରିବ ତାକୁ ନେଇ ବିଚାର ବିମର୍ଶ କରିଛି । ସେହିପରି ବୋଲଗଡ-ବେଗୁନିଆ ଆସନରୁ କଂଗ୍ରେସରୁ ଆମଦାନୀ ହୋଇଥିବା ପ୍ରଦୀପ ସାହୁଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଖଣ୍ଡପଡା ଆସନରେ ଦଳ ସରପ୍ରାଇଜ ଦେବ ବୋଲି ଯୋଜନା କରୁଥିବା କୁହାଯାଉଛି ।

ଝୁଲି ରହିଥିବା ୬ ଆସନରୁ ୨୦୧୯ରେ ନୀଳଗିରିକୁ ଛାଡିଦେଲେ ଅନ୍ୟ ସମସ୍ତ ଆସନ ବିଜେଡି ପକେଟରେ ଥିଲା । ନୀଳଗିରିରେ ସୁକାନ୍ତଙ୍କ ଘର ବାହୁଡା ପରେ ଶାସକ ଦଳ ସହଜ ସ୍ଥିତିରେ ଥିବା କୁହାଯାଉଛି । କିନ୍ତୁ ନିମାପଡା, ବରୀ, ବଡଚଣା, ବାଲିକୁଦ-ଏରସମା ଆଦି ସ୍ଥାନରେ ବିଧାୟକଙ୍କ ଟିକେଟ୍ କାଟିବା ପରେ ସ୍ଥାନୀୟ ଅଂଚଳରେ ଦଳରେ ଅସନ୍ତୋଷ ଦେଖାଦେଇଛି । ଏପରି ସ୍ଥିତିରେ ବାକି ଆସନରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ସମସ୍ତ ଦିଗକୁ ଧ୍ୟାନ ଦେଉଥିବା କୁହାଯାଉଛି ।