୧୦ ବର୍ଷରେ ନିର୍ମାଣ ହୋଇଛି ୧୪୫୮୮ ଆଡିବନ୍ଧ,୧ ଲକ୍ଷ ୪୭ ହଜାର ହେକ୍ଟର ଜମିରେ ହେଉଛି ଜଳସେଚନ ।

84

କନକ ବ୍ୟୁରୋ : ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଆଡ଼ିବନ୍ଧ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ୩୩୩ କୋଟି ୮୪ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଫେବୃଆରୀ ମାସ ସୁଦ୍ଧା ଏଥିରୁ ୩୦୨ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୮-୧୯ ରେ ୧୦୮୭ଟି ଆଡ଼ିବନ୍ଧ ନିର୍ମାଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ସେ ମଧ୍ୟରୁ ୩୬୭ଟି କାର୍ଯ୍ୟ ସରିଥିଲା ବେଳେ ୭୨୦ଟି ନିର୍ମାଣଧୀନ ଅଛି । ଏହା ଫଳରେ ୫୪୯୦ ହେକ୍ଟର ଜମିକୁ ଜଳସେଚନ କରାଯାଉଛି । ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୧୪୫୮୮ଟି ଆଡ଼ିବନ୍ଧ ନିର୍ମାଣ ହୋଇଛି, ଯାହା ଦ୍ୱାରା ୧ ଲକ୍ଷ ୪୭ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରୁଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ।

ତେବେ ଚେକ ଡ୍ୟାମ ଭାଙ୍ଗିବା ନେଇ ଜଳସମ୍ପଦ ମନ୍ତ୍ରୀଙ୍କୁ ଗୃହର ସଦସ୍ୟ ଘାଇଲା କରିବା ପରେ କୃଷି ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ରଘୁନନ୍ଦନ । ଏକା ଜଳ ସମ୍ପଦ ବିଭାଗ ଚେକ ଡ୍ୟାମ କରେନି। କୃଷି ଓ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ବି କରେ। ହେଲେ ଜଳ ସମ୍ପଦ ବିଭାଗ ଅଧୀନରେ ହୋଇଥିବା ଚେକ ଡ୍ୟାମ ଭାଙ୍ଗି ନାହିଁ ବୋଲି ଜଳ ସମ୍ପଦ ମନ୍ତ୍ରୀ ଗୃହରେ କହିଛନ୍ତି ।

ତେବେ ରାଜ୍ୟରେ କେତେ ଚେକଡ୍ୟାମ ରହିଛି ତାହାର ତାଲିକା ସମସ୍ତ ସଭ୍ୟ ମାନଙ୍କୁ ଦେବାକୁ ଜଳସମ୍ପଦ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ତାଲିକା ମିଳିବା ପରେ କେଉଁ ଚେକଡ୍ୟାମ ଭଲ ଅଛି, କେଉଁଠି ମରାମତିର ଆବଶ୍ୟକତା ରହିଛି ଓ କେଉଁଠି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ତାହାର ରିପୋର୍ଟ ଲିଖିତ ଆକାରରେ ସଭ୍ୟ ମାନେ ଜଣାଇଲେ ସେହି ଆଧାରରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।