କନକ ବ୍ୟୁରୋ: ରାଜ୍ୟ ବଜେଟରେ ଜଳସେଚନକୁ ଗୁରୁତ୍ୱ । ଏଥର ବଜେଟରେ ଜଳସେଚନ କ୍ଷେତ୍ର ପାଇଁ ୧୪ ହଜାର ୪୬୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ଜଳଧାରଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ସରକାର, ‘ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର’ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଆଉ ୨୫ଟି ନୂଆ ‘ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର’ ନିର୍ମାଣର ପ୍ରସ୍ତାବ ରହିଛି । ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୮୬୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ।

Advertisment

ଅନ୍ୟପଟେ ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ୫ ବର୍ଷ ମଧ୍ୟରେ ୧୦ ହଜାର ୭୫୯ କୋଟି ଟଙ୍କା ବ୍ୟୟରେ ୧୭୦ଟି ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି । ଯେଉଁଥିରେ ୨ ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର ୨୨୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ପାଇଁ ୪୨୫ କୋଟି ଏବଂ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ପୁରାତନ ସେଚ ପ୍ରକଳ୍ପର ଆଧୁନିକୀକରଣ ଓ କେନାଲ ପୁନରୁଦ୍ଧାର ପାଇଁ ୨୪୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି ।

ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ ଅଧୀନରେ ୧୯୪ କିଲୋମିଟର ଲୁଣି ବନ୍ଧକୁ ସୁଦୃଢ କରିବା ପାଇଁ ୭୬୩ କୋଟି ଠଙ୍କା ବ୍ୟୟ ବରାଦ କରାଯାଇଛି । ତା ସହିତ ବନ୍ୟା ପ୍ରତିରୋଧୀ ବନ୍ଧ ନିର୍ମାଣ ପାଇଁ ୧ ହଜାର ୧୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।